
କଟକ: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାର ତଦନ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଦ୍ବାରା କରିବା ପାଇଁ ହୋଇଥିବା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ବର୍ତ୍ତମାନ ପରିସ୍ଥିତିରେ ଏସ୍ଆଇଟି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳର ବନ୍ଦ ଡାକରା ଯୋଗୁଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ଆବେଦନକାରୀ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଉତ୍ତର ରଖିବା ପାଇଁ ପ୍ରତିପକ୍ଷ କଂଗ୍ରେସ ଦଳ ଓ ବିଜେଡିକୁ ନୋଟିସ୍ ଜାରି ହୋଇଛି। ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀ ଆଇନଜୀବୀ ଶିବଶଙ୍କର ମହାନ୍ତି ଏସଆଇଟି ଗଠନ ସହ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ପ୍ରାର୍ଥନା କରିଥିଲେ। ସେ ପିଟିସନ୍ରେ ଦର୍ଶାଇଥିଲେ ଯେ ସୌମ୍ୟାଶ୍ରୀ ବିଶି ଏଫ୍ଏମ୍ କଲେଜର ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିଲେ।
ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ସେ ବିଭିନ୍ନ ଫୋରମ୍ରେ ଅଭିଯୋଗ କରିଥିଲେ; କିନ୍ତୁ ନିରାଶ ହେବାପରେ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଇଥିଲେ। ଏହା ଅତିସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ଉପଯୁକ୍ତ ତଦନ୍ତ ହେବାର ଆବଶ୍ୟକତା ରହିଛି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସରକାରଙ୍କ ତରଫରୁ ପକ୍ଷ ରଖି କହିଥିଲେ ଯେ ଏହି ସ୍ପର୍ଶକାତର ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ। କୌଣସି ଦୋଷୀକୁ ଛଡ଼ାଯିବ ନାହିଁ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। ଜଣେ ମହିଳା ଆଇଜିଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରାଯାଉଛି। ଏଫଏମ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ନିଲମ୍ବନ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ମାମଲାର ତଦାରଖ କରୁଥିବା ସେ ଅଦାଲତକୁ ଦର୍ଶାଇଥିଲେ। ମାମଲାର ଏକାଧିକ ତଦନ୍ତ ସହ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଚାଲିଥିବା ନେଇ ଶ୍ରୀ ଆଚାର୍ଯ୍ୟ ହାଇକୋର୍ଟଙ୍କୁ ଅବଗତ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା। ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଆବେଦନକାରୀ ଶ୍ରୀ ମହାନ୍ତି ବିଭିନ୍ନ ରାଜନୈତିକ ଦଳଙ୍କ ବନ୍ଦ ଡାକରା ବେଆଇନ ଏବଂ ଚିକିତ୍ସାଳୟ ସମ୍ମୁଖରେ ହୋହଲ୍ଲା କରିବା ଯୋଗୁଁ ଚିକିତ୍ସାଳୟ ବାତାବରଣ ଉପରେ କୁପ୍ରଭାବ ପଡ଼ୁଥିବା ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶା ବନ୍ଦ କରିବା ଦ୍ବାରା ଲୋକେ ବହୁ ଅସୁବିଧା ଭୋଗିଥିଲେ। ଏହାକୁ ନେଇ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ୟୁଜିସି କର୍ତ୍ତୃପକ୍ଷ, ଗୃହ ବିଭାଗ ସଚିବ, ରାଜ୍ୟ ଉଚ୍ଚଶିକ୍ଷା ସଚିବ, ପୁଲିସ୍ ଡିଜି, କ୍ରାଇମ୍ବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଛି। ଅଗଷ୍ଟ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।