
ନୂଆଦିଲ୍ଲୀ: ୨୦୨୫ର ପ୍ରଥମ ଛଅ ମାସରେ ସମଗ୍ର ଦେଶରେ ଜାତୀୟ ରାଜପଥରେ ୨୬ ହଜାର ୭୭୦ ଜଣଙ୍କ ମୃତ୍ୟୁ ଘଟିଛି। ସେହି ହିସାବରେ ଦେଖିଲେ ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ୬ରୁ ଅଧିକ ଲାେକଙ୍କ ପ୍ରାଣହାନୀ ଘଟିଛି। ୨୦୨୪ରେ ରାଜପଥରେ ୫୨ ହଜାର ୬୦୯ ଗମ୍ଭୀର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାଜ୍ୟସଭାରେ ଏହାର ସୂଚନା ଦେଇଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ରୋକିବା ପାଇଁ ସରକାର ଏଟିଏମଏସ, ରୋଡ ସେଫ୍ଟି ଅଡିଟ୍ ଓ ଅନେକ ଟ୍ରାଫିକ ନିୟମ ଲାଗୁ କରାଯାଇଛି। ଏହା ସହିତ ଜନସଚେତନତା ଅଭିଯାନ ଚଲା ଯାଉଛି।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କିଛି ବ୍ୟସ୍ତବହୁଳ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜପଥ ଏବଂ ଏକ୍ସପ୍ରେସୱେରେ ଆଡଭାନ୍ସଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ATMS) ସ୍ଥାପନ କରିଛି। ଏଥିରେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ, ଟ୍ରାନ୍ସ-ହରିଆଣା, ପୂର୍ବ ପେରିଫେରାଲ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ରୁଟ୍ ଅନ୍ତର୍ଭୁକ୍ତ।
ଗଡ଼କରୀ କହିଛନ୍ତି ଯେ ଏହି ସିଷ୍ଟମରେ ଇଲେକ୍ଟ୍ରୋନିକ୍ ମନିଟରିଂ ଉପକରଣ ରହିଛି, ଯେଉଁଥିରୁ ଦୁର୍ଘଟଣା କିମ୍ବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ତୁରନ୍ତ ସୂଚନା ମିଳି ଯାଉଛି। ଏଥିରେ ଘଟଣାସ୍ଥଳକୁ ତୁରନ୍ତ ସାହାଯ୍ୟ ପଠାଇପାରିବ। ଏହି ପଦକ୍ଷେପରେ ଜୀବନ ବଞ୍ଚାଇବାରେ ବିଶେଷ ସହାୟକ ହେବ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, NHAIର ସମସ୍ତ ନୂତନ ଉଚ୍ଚ-ଘନତ୍ଵ ଏବଂ ହାଇସ୍ପିଡ କରିଡର ପ୍ରକଳ୍ପରେ ATMS ସାମିଲ କରାଯାଇଛି। ଏହାକୁ ପୁରୁଣା ରାଜପଥରେ ଏକ ପୃଥକ ପ୍ରକଳ୍ପ ଭାବରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ତିନି ବର୍ଷ ମଧ୍ୟରେ ଏକ ଲକ୍ଷ ୧୨ ହଜାର ୫୬୧ କିଲୋମିଟର ଜାତୀୟ ରାଜପଥର ସୁରକ୍ଷା ଅଡିଟ୍ କରାଯାଇଛି।
ଭାରତରେ ସଡ଼କ ଦୁର୍ଘଟଣା ଏକ ଗମ୍ଭୀର ସ୍ଵାସ୍ଥ୍ୟଗତ ଜନିତ ସମସ୍ୟା ପାଲଟିଛି। ୨୦୨୨ ମସିହାରେ ଦେଶରେ ୪.୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଦୁଇଚକିଆ ଯାନ ଅର୍ଥାତ ବାଇକ ଆକ୍ସିଡାଣ୍ଟ ସର୍ବାଧିକ ରହିଛି। ଦୁର୍ଘଟଣାର କାରଣ ସାଧାରଣତଃ – ଦ୍ରୁତ ଗତି, ହେଲମେଟ୍ ବିନା ବାଇକ୍ ଚଲାଇବା ଏବଂ ପଦଯାତ୍ରୀମାନେ ଭୁଲ ରାସ୍ତାରେ ରାସ୍ତା ପାର ହେବା। ସରକାର ଏବେ ରାସ୍ତା ସୁରକ୍ଷା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ଏବଂ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।