
ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ବିରୋଧ କରି ସଂସଦରେ ଦୁଇଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଶୁକ୍ରବାର ସୁଧାର ଆସିଛି। ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ସଂସଦ କାର୍ଯ୍ୟ ନିୟମିତ ଚାଲୁରହିବ ବୋଲି ବୈଠକରେ ସହମତି ହୋଇଛି। ତେବେ ବୈଠକ ପରେ ଅପରାହ୍ନ ୨ଟାରେ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବିରୋଧୀମାନେ ପୁଣି ହଟ୍ଟଗୋଳ କରିଥିବା ଦେଖିବାକୁ ମଳିଥିଲା।
ଶୁକ୍ରବାର ସଂସଦ କାର୍ଯ୍ୟ ଆରମ୍ଭ ହେବା ପରେ ଲୋକସଭାରେ ବିରୋଧୀ ଦଳଗୁଡ଼ିକ ନାରାବାଜି କରିଥିଲେ। ଏହା ପରେ ବାଚସ୍ପତି ଓମ ବିର୍ଲା ସର୍ବଦଳୀୟ ବୈଠକ ଡକାଇଥିଲେ। ଅପରାହ୍ନ ୧୨ଟା ୩୦ରେ ବୈଠକ ଡକାଯାଇଥିଲା। ବୈଠକରେ ଶାସକ ଦଳର ସଦସ୍ୟଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ଅନେକ ସମୟ ଧରି ଆଲୋଚନା ହେବା ପରେ ଆସନ୍ତା ୨୮ ତାରିଖ ସୋମବାରଠାରୁ ଗୃହକାର୍ଯ୍ୟ ନିୟମିତ ଚାଲିବ ଏବଂ ଏଥିରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ବିରୋଧୀମାନେ ସହମତି ଜଣାଇଥିଲେ।
ଅନ୍ୟପଟେ ଅପରାହ୍ନ ୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ଥରେ ବିରୋଧୀମାନେ ହୋହଲ୍ଲା କରିଥିଲେ। ବିରୋଧୀଙ୍କ ଏପରି ଆଚରଣ ଦେଖି ଲୋକସଭା ଚେୟାର ଚିନ୍ତାବ୍ୟକ୍ତ କରିଥିଲେ। ଲୋକସଭା ଚେୟାର ଜଗଦମ୍ବିକା ପାଲ ବିରୋଧୀଙ୍କୁ ସମାଲୋଚନା କରିବା ସହିତ ନାରାବାଜି ଦେଲେ ତୁମମାନଙ୍କୁ ଭୋଟ ଦେଇ ଏଠାକୁ ପଠାଇଥିବା ଜନତାଙ୍କର କୌଣସି ଲାଭ ହେବ ନାହିଁ ବୋଲି କହିଥିଲେ।
ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ କହିଛନ୍ତି, ଆମେ ଗାନ୍ଧିଜୀଙ୍କ ଦର୍ଶନର ଅନୁଗାମୀ। ତେଣୁ ଆମେ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ଦାବି କରୁଛୁ ଯେ ସେ ଗଣତନ୍ତ୍ରର ହତ୍ୟା କରିବା ବନ୍ଦ କରନ୍ତୁ। ଏହା ଅତି ବିପଜ୍ଜନକ।