
ବୈତରଣୀ ନଦୀରେ ମାଡ଼ି ଆସିଲା ବନ୍ୟା। ଜଳମଗ୍ନ ହୋଇ ରହିଛି ବ୍ୟାପକ ଅଞ୍ଚଳ । ପାଣି ଘେରରେ ରହିଛନ୍ତି ଲୋକେ। ଅନେକ ସ୍ଥାନରେ ରାସ୍ତାଘାଟ ବି ବିଛିନ୍ନ। ବ୍ୟାପକ ଚାଷଜମି ଜଳମଗ୍ନ। ଜଳସ୍ତର କିଛିଟା ହ୍ରାସ ପାଇଥିଲେ ହେଁ ବନ୍ୟାଜଳରୁ ମୁକୁଳି ପାରି ନାହାଁନ୍ତି ତଳିଆ ଅଞ୍ଚଳର ଅଧିବାସୀ। ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ମି ଥିବାବେଳେ ଏବେ ବି ଏହା ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ସେହିଭଳି ବଲ୍ଲଭୀଘାଟ ଏବଂ ଦଶରଥପୁରରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ।
ବନ୍ୟା ଫଳରେ ଦଶରଥପୁର ଏବଂ ଯାଜପୁର ସଦର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଉଭୟ ବ୍ଲକର ୨୫ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷକରି ତଳିଆ ଅଞ୍ଚଳରେ ଚାଷଜମି ଗୁଡିକ ଜଳମଗ୍ନ ହୋଇରହିଛି। ଯାଜପୁର ସଦର ବ୍ଲକ ସିମିଳିଆ ପଞ୍ଚାୟତ ମୁଖ୍ୟରାସ୍ତା ଉପରେ ୨ଫୁଟ ବନ୍ୟାଜଳ ଚାଲିଥିବା ବେଳେ ୮ଗୋଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ସ୍ଥାନରେ ପ୍ରଶାସନ ପହଞ୍ଚି ରିଲିଫ ସହାୟତା ଯୋଗାଇଥିବା ବେଳେ ଆଉ କିଛି ଜାଗାରେ ଏଯାଏ ପହଞ୍ଚି ପାରିନି ପ୍ରଶାସନ। ଫଳରେ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ସେପଟେ ବନ୍ୟାଞ୍ଚଳ ବୁଲି ଦେଖୁଛନ୍ତି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି। ଆଜି କିଛି ସହକର୍ମୀ ଓ ଜନପ୍ରତିନିଧିଙ୍କ ସହ ଯାଜପୁର ଓ ଦଶରଥପୁର ବ୍ଲକ ର ବିଭିନ୍ନ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ। ଶ୍ରୀ ଦାସ ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟା ସମର୍କରେ ପଚାରି ବୁଝିଛନ୍ତି। ତେବେ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଓଡରାଫ ଓ ଅଗ୍ନିଶମ ବାହିନୀ ।
ସେପଟେ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଅମ୍ବର କୁମାର କର। ପ୍ରଥମ ଦିନରେ ବିରଜା ମାଙ୍କ ଦର୍ଶନ କରିବା ପରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ। କହିଲେ ବନ୍ୟା ସ୍ଥିତିର ମୁକାବିଲା କରାଯିବ। ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।