ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ୧୫ ଜିଲ୍ଲାକୁ ବର୍ଷା ଆଲର୍ଟ

youtube

ଭୁବନେଶ୍ୱର: ବନ୍ୟା ଛନକା ଭିତରେ ବର୍ଷା ଭୟ। ଆସନ୍ତା ୨ ଦିନ ଅଧା ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ କାଲି ପାଣିପାଗ ବିଭାଗର ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ। କାଲି ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି।

ଏହି ଅବପାତ କ୍ରମଶଃ ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।

୧୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ବେଗରେ ପବନ ବହିବ। ଉପକୂଳ ଓ ଏହାର ଆଖପାଖ ଅଞ୍ଚଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରଭିତରକୁ ଯିବାକୁ ବାରଣ କରାଯାଇଛି। ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ ଓ ୩୧ରୁ ବର୍ଷା କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.