
ନୀଳଗିରି: ଦିଲ୍ଲୀରେ ଚୋରି, ହେଲେ ପଲ୍ଲୀରୁ ଚୋର ଗିରଫ। ଏକଥାଟି ଆପଣଙ୍କୁ ଟିକେ ଖଟକା ଲାଗୁଥିବ ନିଶ୍ଚୟ । ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ପୁରା ଖବର ଉପରେ ନଜର ପକାନ୍ତୁ ।
ଘଟଣାଟି ହେଉଛି ନୂଆଦିଲ୍ଲୀର । ଆଜି କାଲି ତ ଚୋରଙ୍କ କଥା କହିଲେ ନସରେ, କେଉଁଠୁ ଆଉ କିଭଳି ଭାବରେ ଚୋରି କରୁଛନ୍ତି ଆପଣ ତ ଦେଖୁଥିବେ ନିଶ୍ଚୟ । ତେବେ ପୁଣି ସେହିପରି ଏକ ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଲୋଭ ହୋଇଛି କାଳ। ଦିଲ୍ଲୀରୁ ଲୁଟି ବାଲେଶ୍ବର ଜିଲ୍ଲା ନୀଳଗିରିରୁ ବନ୍ଧା ହେଲେ ଚୋର ଓ ଶେଷରେ ଜେଲ୍ ବି ଗଲେ। ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଘଟିଛି । ଗିରଫ ବ୍ୟକ୍ତିଜଣକ ହେଲେ କାଶୀନାଥ ମଲ୍ଲିକ ।
ଚୋର କାଶୀନାଥ ମଲ୍ଲିକ ଦିଲ୍ଲୀର ଏକ ବିଲଡରଙ୍କ ଘରେ ରୋଷେୟା ଭାବେ କାମ କରିଆସୁଥିଲେ, ଘର ମାଲିକ କାଶୀନାଥଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ବିଶ୍ୱାସ କରିଥିଲେ । ମାତ୍ର କାଶୀନାଥ ବିଶ୍ୱାସରେ ବିଷ ଦେଇ ୮୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ଫେରାର ହୋଇଥିଲା ।
ଦିଲ୍ଲୀର ଜଣେ ବିଲଡରଙ୍କ ଘରେ କଳାକନା ବୁଲାଇବା ପରେ ତିନି ଜଣ ଚୋର ଟଙ୍କା ନେଇ ଓଡ଼ିଶା ଫେରାର ହେଉଥିଲେ। ମାତ୍ର ଖବର ପାଇ ତୁରନ୍ତ ଛାନଭିନ ଆରମ୍ଭ କରିଥିଲା ପୋଲିସ୍।
ପୋଲିସ୍ ଦିଲ୍ଲୀ ରେଳ ଷ୍ଟେସନରୁ ଆଶୁତୋଷ ମଲ୍ଲିକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଭାଗ ଟଙ୍କାନେଇ ସେଠୁ ଫେରାର ହୋଇଥିଲେ। ଜଗବନ୍ଧୁ ବିହାର ପାଟଣାକୁ ପଳାଇ ଯାଇଥିବା ସୂଚନା ପାଇ ଦିଲ୍ଲୀ ପୋଲିସ ତା’ର ପିଛା କରିଥିଲା। ପାଟଣାରୁ ଜଗବନ୍ଧୁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ୍।
ମାତ୍ର କାଶୀନାଥ ୨୦ ଲକ୍ଷ ଟଙ୍କା ନେଇ ନୀଳଗିରି ପଲେଇ ଆସିଥିଲା । ଖବର ପାଇ ଦିଲ୍ଲୀ ପୋଲିସ ନୀଳଗିରି ପୋଲିସର ସହଯୋଗରେ ଭିମେଇ ଗାଁରେ ଚଢ଼ାଉ କରିଥିଲା। ସେଠାରୁ କାଶୀନାଥ ମଲ୍ଲିକଙ୍କୁ ଗିରଫ କରିବା ସହ ୨୦ ଲକ୍ଷ ଟଙ୍କା ଜବତ କରିଛି । ଗିରଫ ପରେ କାଶୀନାଥଙ୍କୁ ପୋଲିସ୍ ଦିଲ୍ଲୀ ନେଇଥିବା ଜଣାପଡିଛି।