
ସୁନ୍ଦରଗଡ଼: ଅବାଗିଆ କେଶ ସଜା ସହ ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା । ସାଧସିଧା ପୋଷାକ ସହ ଜଣେ ପାଠ ପଢୁଆ ଛାତ୍ରଙ୍କ ପରି ମହାବିଦ୍ୟାଳୟକୁ ଆସିବେ ଛାତ୍ରଛାତ୍ରୀ । ଏହାକୁ ଅବମାନନା କଲେ କୌଣସି ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ପଶିପାରିବେ ନାହିଁ । ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଆଣିଛନ୍ତି ଏମିତି ଅଭିନବ ଶୃଙ୍ଖଳା ।
ଶିକ୍ଷାନୁଷ୍ଠାନକୁ ଏକ ମଣିଷ ଗଢା କାରଖାନା ବା ଏକ ମନ୍ଦିର ସହ ତୁଳନା କରାଯାଏ । ଆଉ ଏହି ଶିକ୍ଷାନୁଷ୍ଠାନମାନଙ୍କରେ ଥିବା ଅଧ୍ୟକ୍ଷମାନେ ଶିକ୍ଷାନୁଷ୍ଠାନକୁ ସୁନ୍ଦରକରି ଗଢି ତୋଳିବା ପାଇଁ ପ୍ରୟାସ କରୁଛନ୍ତି । କିଛି ଶିକ୍ଷକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷଟିଏ ଗଢି ତୋଳିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଉ କେତେକ ଅଛନ୍ତି ଯାହାଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇ ଛାତ୍ରୀମାନଙ୍କ ଜୀବନ ଯାଉଛି । ଏହି ସବୁ କଥାକୁ ନଜରରେ ରଖି ଛାତ୍ରଛାତ୍ରୀମାନଙ୍କ ଭିତରେ ସୁସଂସ୍କାର ଆଣିବାକୁ ପ୍ରୟାସ କରିଛନ୍ତି ଏହି ଅଧ୍ୟକ୍ଷ ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଘଟୁଥିବା ଛାତ୍ରୀ ନିର୍ଯାତନା ଓ ରାଗିଂକୁ ନେଇ ବିଶୃଙ୍ଖଳିତ ବାତାବରଣ ଲାଗି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ବାଲିସଙ୍କରା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜାରି କରିଛନ୍ତି ଏହି ଅଭିନବ ଶୃଙ୍ଖଳାଗତ ନିୟମ । ମହାବିଦ୍ୟାଳୟରେ ଶୈଖିକ ବାତାବରଣ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ଆଣିବାକୁ ଅଧ୍ୟକ୍ଷ କୁଳମଣି ସାହୁ ଏଭଳି ଅଭିନବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପଟେ ଅଧ୍ୟକ୍ଷଙ୍କ ଏହି ଶୃଙ୍ଖଳାଗତ ପ୍ରୟାସ କେବଳ ଯେ ନିଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପାଳନ କରିବେ ତା ନୁହେଁ ବରଂ ଏହା ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଫଳପ୍ରଦ ହୋଇପାରିବ ବୋଲି କହିଛନ୍ତି ।
ନବାଗତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଏନେଇ ସଚେତନ ମଧ୍ୟ କରାଯାଉଛି । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମନେ ପକାଇବା ପାଇଁ ମହାବିଦ୍ୟାଳୟର ମୁଖ୍ୟ ଦ୍ଵାର ସମ୍ମୁଖରେ ଏହି ନିର୍ଦ୍ଦେଶାବଳୀର ସୂଚନା ଫଳକ ଲଗାଯାଇଛି । ଯାହା ଫଳରେ ମହାବିଦ୍ୟାଳୟକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ସତର୍କ ହେଉଛନ୍ତି । ମହାବିଧ୍ୟାଳୟ ଅଧକ୍ଷଙ୍କ ଏଭଳି ପ୍ରୟାସ ସତରେ ପ୍ରଶଂସନୀୟ ।