ପୁରୀ ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍‌ସରେ ପରଲୋକ, ୧୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ନାବାଳିକା

youtube

ଭୁବନେଶ୍ୱର: ପୁରୀ ଜିଲ୍ଲାର ବଳଙ୍ଗା ପୀଡ଼ିତା ଆଉ ନାହାନ୍ତି। ଦୀର୍ଘ ୧୫ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।  

ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗା ଥାନା ଅନ୍ତର୍ଗତ ବାଇଆବର ଗାଁର ଏହି ନାବାଳିକା ଜଣକ ନିଜ ସାଙ୍ଗ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିନେଇଥିଲେ।  ଘରଠାରୁ କିଛି ଦୂରରେ ଥିବା ନଦୀ ବନ୍ଧ ନିକଟ ଏକ ନିର୍ଜନ ସ୍ଥାନରେ ଅଭିଯୁକ୍ତମାନେ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରିଥିଲେ।

ପୀଡ଼ିତାଙ୍କ ଶରୀର ୭୦ରୁ ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା।  ଏମ୍‌ସ ଭୁବନେଶ୍ୱରରେ ଏକ ୧୪ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ଏବଂ ବିରୋଧୀ ଦଳଙ୍କ ଦାବି ପରେ, ରାଜ୍ୟ ସରକାର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଜୁଲାଇ ୨୦ ତାରିଖରେ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍ କରିଡର କରାଯାଇ ତାଙ୍କୁ ଏୟାରଲିଫ୍ଟ ଯୋଗେ ଦିଲ୍ଲୀ ଏମ୍‌ସକୁ ନିଆଯାଇଥିଲା। 

ଦିଲ୍ଲୀ ଏମ୍‌ସରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରିଥିଲେ। ତାଙ୍କ ଶରୀରରେ ତିନି ଥର ସ୍କିନ୍ ଗ୍ରାଫ୍ଟିଂ ଅପରେସନ ମଧ୍ୟ କରାଯାଇଥିଲା। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଯାଇ ପୀଡ଼ିତାଙ୍କୁ ଭେଟିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

ଏହି ଘଟଣା ରାଜ୍ୟରେ ନାରୀ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ପରେ ବଳଙ୍ଗାର ଏହି ବର୍ବରକାଣ୍ଡ ଜନମାନସକୁ ଆନ୍ଦୋଳିତ କରିଥିଲା। ତେବେ ଦୁର୍ଭାଗ୍ୟର ବିଷୟ ହେଉଛି, ଘଟଣାର ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ପୀଡ଼ିତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଳଙ୍ଗା ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.