୨୪ ଘଣ୍ଟାରେ ଭାରତ ଉପରେ ପ୍ରବଳ ଶୁଳ୍କ ବସାଇବି : ଟ୍ରମ୍ପ

add-all

ଓ୍ବାସିଂଟନ :ଆମେରିକାକୁ ଭାରତର କଡ଼ ଜବାବ ପରେ ବିଗିଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ସେ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ପ୍ରବଳ ଶୁଳ୍କ ଲାଗୁ କରିବେ। ରୁଷକୁ ଏକ ଯୁଦ୍ଧ ମେସିନ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଭାରତ ଏହାକୁ ଇନ୍ଧନ ଦେଉଛି।
ସିଏନବିସିକୁ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ‘ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ କାରଣ ସେମାନେ ଆମ ସହିତ ବହୁତ ବାଣିଜ୍ୟ କରନ୍ତି, କିନ୍ତୁ ଆମେ ସେମାନଙ୍କ ସହିତ ଅଧିକ ବାଣିଜ୍ୟ କରୁନାହୁଁ। ତେଣୁ ଆମେ ୨୫ ପ୍ରତିଶତ ଶୁଳ୍କ ଉପରେ ରାଜି ହୋଇଥିଲୁ, କିନ୍ତୁ ମୁଁ ଭାବୁଛି ମୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାକୁ ବହୁତ ବୃଦ୍ଧି କରିବି କାରଣ ସେମାନେ ରୁଷଠାରୁ ତେଲ କିଣୁଛନ୍ତି।’
ଗତକାଲି ମଧ୍ୟ ଟ୍ରମ୍ପ ଭାରତକୁ ଧମକ ଦେଇଥିଲେ । ଏହା ପରେ ଭାରତ ପକ୍ଷରୁ ଏକ ଜବାବ ଦିଆଯାଇଥିଲା ଯେ ଉଭୟ ଆମେରିକା ଓ ୟୁରୋପ ରୁଷରୁ ବିଭିନ୍ନ ସାମଗ୍ରୀ ଖରିଦ କରୁଛନ୍ତି, କିନ୍ତୁ ଅକାରଣ ଭାରତକୁ ଟାର୍ଗେଟ କରାଯାଉଛି । ଭାରତର ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଥିଲା ଯେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ତୈଳର ପାରମ୍ପରିକ ଯୋଗାଣଗୁଡ଼ିକ ୟୁରୋପ ଆଡ଼କୁ ଚାଲିଯାଇଥିଲା। ଏହା ପରେ ଭାରତ ବାଧ୍ୟ ହୋଇ ରୁଷରୁ ଆମଦାନୀ କରିଥିଲା । ବିଶ୍ବ ତୈଳ ବଜାରରେ ଭାରସାମ୍ୟ ରକ୍ଷା କରିବାକୁ ଭାରତର ଏହି ପଦକ୍ଷେପକୁ ସେତେବେଳେ ଆମେରିକା ମଧ୍ୟ ସମର୍ଥନ କରୁଥିଲା ।

ad-week
Leave A Reply

Your email address will not be published.