ବଳଙ୍ଗା ନାବାଳିକା ପୋଡ଼ି ଘଟଣା: ୩ ଦୁର୍ବୃତ୍ତଙ୍କ ଗିରଫ ଦାବି କଲା କଂଗ୍ରେସ

youtube

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସପ୍ତାହବ୍ୟାପି ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷିତ ହୋଇଛି। ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁର୍ବୃତ୍ତଙ୍କ ଗିରଫ ଦାବିରେ କଟକସ୍ଥିତ ପୁଲିସ୍ ଡିଜି କାର୍ଯ୍ୟାଳୟକୁ ସହସ୍ର ସଂଖ୍ୟାରେ କଂଗ୍ରେସ କର୍ମୀ ଘେରାଉ କରିବେ। ସେଦିନ ସକାଳ ୧୦ ଟାରେ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ ହେବ। ମହିଳାଙ୍କ ସୁରକ୍ଷା ଦିଗରେ ସଚେତନ ମହିଳା ଓ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସଂଗଠନ ବହୁ ସଂଖ୍ୟାରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ଵାନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖ ଶନିବାର ସନ୍ଧ୍ୟାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପକ୍ଷରୁ ଶ୍ରୀ ଦାସ ସରକାରଙ୍କୁ ସାତ ଦିନର ମହଲତ ଦେଇଥିଲେ।
ଆସନ୍ତା ୧୦ ଅଗଷ୍ଟ (ରବିବାର) ପୂର୍ବାହ୍ନ ଆଠଟା ତିରିଶରେ ଦିବଂଗତ ବଳଙ୍ଗା ନାବାଳିକାଙ୍କ ପାଇଁ ‘ନାରୀ ନ୍ୟାୟ ପଦଯାତ୍ରା’ ବାୟାବରରୁ ବାହାରି ନିମାପଡ଼ାରେ ପହଞ୍ଚିବ। ଏଥିରେ ଯୋଗଦେଇ ବଳଙ୍ଗା ପୀଡ଼ିତାଙ୍କ ପାଇଁ ନ୍ୟାୟ ନିମନ୍ତେ ଲଢେଇରେ ସାମିଲ ହେବାକୁ ଶ୍ରୀ ଦାସ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ, ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୪ ତାରିଖରେ ବାଲେଶ୍ଵରରେ ହେବାକୁ ଥିବା ନାରୀ ନ୍ୟାୟ ପଦଯାତ୍ରାର କାର୍ଯ୍ୟସୂଚୀ ମଧ୍ୟ ଶ୍ରୀ ଦାସ ଘୋଷଣା କରିଛନ୍ତି। ୧୪ ତାରିଖ ଗୁରୁବାର ପୂର୍ବାହ୍ନ ୯ ଟାରେ ଫକୀରମୋହନ କଲେଜ ପାଖରୁ ନାରୀ ନ୍ୟାୟ ପଦଯାତ୍ରାରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଅନ୍ୟ ସମସ୍ତଙ୍କୁ ନେଇ ଦଳ ପକ୍ଷରୁ ନଗର ପରିକ୍ରମା କରାଯିବ। ଏହାର ବିସ୍ତୃତ କାର୍ଯ୍ୟସୂଚୀ ଶୀଘ୍ର ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ଯେଉଁମାନଙ୍କ ଚାପରେ ବାଲେଶ୍ଵର ପୀଡ଼ିତାଙ୍କ ପାଇଁ ଏଫ୍ଆଇଆର୍ ସୁଦ୍ଧା ରୁଜୁ କରାଗଲା ନାହିଁ। ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସର ଭୁକ୍ତ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି। ଉପରୋକ୍ତ ସମସ୍ତ ଦାବି ପୂରଣ ନ ହେଲେ ସପ୍ତାହବ୍ୟାପୀ ରାଜ୍ୟର ସମସ୍ତ ଥାନାର ଘେରାଉ କାର୍ଯ୍ୟକ୍ରମ କଂଗ୍ରେସ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.