
ପୁଣେ: ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଓ ଭୟଙ୍କର ଭୂସ୍ଖଳନ ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି। ଶହ ଶହ ରାସ୍ତା ଭାସିଯାଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି କାରଣରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରବଳ ବାଧା ସୃଷ୍ଟି ହେଉଛି ଏବଂ ନିଖୋଜ ଲୋକଙ୍କୁ ଖୋଜିବା କାର୍ଯ୍ୟ ମନ୍ଥର ହୋଇପଡ଼ିଛି। ଏହି ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି, ଯେଉଁଠି ୩୫ ବର୍ଷ ପରେ ଏକାଠି ହୋଇ ଚାରିଧାମ ଯାତ୍ରାରେ ବାହାରିଥିବା ପୁଣେର ୨୪ ଜଣ ସ୍କୁଲ ସାଙ୍ଗ ନିଖୋଜ ହୋଇଯାଇଛନ୍ତି।
ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି ପୁଣେ ଜିଲ୍ଲାର ମଞ୍ଚର ସ୍ଥିତ ଆୱାସରୀ ଖୁର୍ଡ ଗାଁ ସ୍କୁଲର ୧୯୯୦ ଦଶମ ଶ୍ରେଣୀ ବ୍ୟାଚର ୨୪ ଜଣ ପୁରାତନ ଛାତ୍ର। ଦୀର୍ଘ ୩୫ ବର୍ଷ ପରେ ସ୍କୁଲ ସମୟର ସ୍ମୃତିକୁ ତାଜା କରିବା ପାଇଁ ସେମାନେ ଅଗଷ୍ଟ ୧ ତାରିଖରେ ଏହି ଯାତ୍ରା ଆରମ୍ଭ କରିଥିଲେ। ସେମାନେ ମହାରାଷ୍ଟ୍ରର ୭୫ ଜଣିଆ ପର୍ଯ୍ୟଟକ ଦଳର ଅଂଶବିଶେଷ ଥିଲେ। କିନ୍ତୁ ବୁଧବାର ଦିନ ଗଙ୍ଗୋତ୍ରୀ ନିକଟସ୍ଥ ଧରାଲି ଗାଁରେ ଭୟାବହ ବନ୍ୟା ଆସିବା ପରେ ଏହି ଦଳ ସହିତ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ନିଖୋଜ ଥିବା ଦଳର ସଦସ୍ୟ ଅଶୋକ ଭୋରଙ୍କ ପୁଅ ଆଦିତ୍ୟଙ୍କ କହିବା ଅନୁଯାୟୀ, ସେ ଶେଷ ଥର ପାଇଁ ଅଗଷ୍ଟ ୪ ତାରିଖରେ ବାପାଙ୍କ ସହ କଥା ହୋଇଥିଲେ। ଆଦିତ୍ୟ କହିଛନ୍ତି, “ବାପା ଫୋନରେ କହିଥିଲେ, ‘ଆମେ ଗଙ୍ଗୋତ୍ରୀଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଫସି ରହିଛୁ। ରାସ୍ତାରେ ଏକ ବଡ଼ ଗଛ ପଡ଼ିଛି ଏବଂ ଛୋଟ ଭୂସ୍ଖଳନ ହୋଇଛି। ରାସ୍ତା ସଫା ହେଲେ ଆମେ ଆଗକୁ ବଢ଼ିବୁ।’ ଏହାପରଠାରୁ ତାଙ୍କ ସହ କିମ୍ବା ଦଳର ଅନ୍ୟ କୌଣସି ସଦସ୍ୟଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।”
ଏହି ଘଟଣା ପରେ ମହାରାଷ୍ଟ୍ର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ଉତ୍ତରାଖଣ୍ଡ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛି। ତେବେ, ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ନିଖୋଜ ପର୍ଯ୍ୟଟକଙ୍କ ସଠିକ୍ ସ୍ଥିତି ଜାଣିବା କଷ୍ଟକର ହୋଇପଡ଼ିଛି। ଦୀର୍ଘ ବର୍ଷ ପରେ ଖୁସି ମନାଇବାକୁ ଯାଇଥିବା ଏହି ବନ୍ଧୁମାନଙ୍କର କୌଣସି ଖବର ନ ମିଳିବାରୁ ସେମାନଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।