
ଭୁବନେଶ୍ବର: ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ ।
ହାଇକୋର୍ଟରେ ଆବେଦନ କରିଥିବା ୧୨୪୫ ଜଣଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ । ୪୦୫ଟି ଡ୍ରାଇଭର ପଦ ପାଇଁ ଗତ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ନିୟମିତ ପରୀକ୍ଷା ହୋଇ ନ ଥିବାରୁ ବୟସ ସୀମା ବୃଦ୍ଧି ପାଇଁ ଆବେଦନ କରିଥିଲେ ଆଶାୟୀ ପ୍ରାର୍ଥୀ ।
ସୂଚନାଯୋଗ୍ୟ, ୨୦୨୪ ଅକ୍ଟୋବର ୩ରେ ଓଡ଼ିଶା ପୋଲିସ ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ପିଏମ୍ଟିରେ ୪୦୫ଟି ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ଜାନୁଆରି ୧ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ, ୨୦୨୦ ପରେ ଏହି ପଦ ପାଇଁ କୌଣସି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ନ ହେବା କାରଣରୁ, ଅନେକ ଆଶାୟୀ ପ୍ରାର୍ଥୀ ବୟସସୀମା କୋହଳ ପାଇଁ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୨୪ ଡିସେମ୍ବର ୧୭ରେ ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ଗତ ୪ ବର୍ଷ ହେବ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ନ ହେବା ପ୍ରସଙ୍ଗକୁ ବିଚାରକୁ ନେଇ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ସରକାର ୨୦ରୁ ଅଧିକ ରିଟ୍ ଅପିଲ୍ ଦାୟର କରିଥିଲେ। କିନ୍ତୁ, ସରକାର ଏବେ ଏହି ଅପିଲ୍ଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି।