
ଭୁବନେଶ୍ୱର: ମାତ୍ର ସପ୍ତାହେ ମଧ୍ୟରେ ସ୍କିମାଟିକ୍ ଶିକ୍ଷକଙ୍କୁ ଲାଗିଛି ବଡ଼ ଧକ୍କା। ମଉଳି ଯାଇଛି ସେମାନଙ୍କର ଚାକିରି ନିୟମିତ ହେବାର ଆଶା। ସ୍କିମାଟିକ୍ ଶିକ୍ଷକମାନଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବକୁ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୱେବସାଇଟ୍ରୁ ଉଡ଼ାଇ ଦିଆଯାଇଥିଲା। ଏବେ ଆନୁଷ୍ଠାନିକ ଭାବରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ଶୁକ୍ରବାର ପ୍ରତ୍ୟାହାର କରି ନେଇଛନ୍ତି। ନିୟମିତ କରିବାର ଆଶା ଦେଖାଇ ସରକାର ସେମାନଙ୍କୁ ପ୍ରତାରିତ କରିଛନ୍ତି ଓ ୧୬୦୦୦ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଛି ବୋଲି ସ୍କିମାଟିକ ଶିକ୍ଷକମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ରାଜ୍ୟରେ ଶିକ୍ଷକ ନିଯୁକ୍ତି, ସ୍କିମାଟିକ୍ କନିଷ୍ଠ ଶିକ୍ଷକ ପଦ ଉଚ୍ଛେଦ, ନିୟମିତ ଶିକ୍ଷକ ନିଯୁକ୍ତି ପରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବସିଥିବା ବୈଠକର ସାରାଂଶ ସମ୍ପର୍କରେ ଗତ ୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା। ଗଣଶିକ୍ଷା ବିଭାଗର ୱେବସାଇଟ୍ରେ ଏହା ଅପଲୋଡ୍ ମଧ୍ୟ ହୋଇଥିଲା। ସ୍କିମାଟିକ୍ ପଦକୁ ଉଚ୍ଛେଦ କରାଯାଇ ମାଧ୍ୟମିକ ଶିକ୍ଷକଙ୍କ ପରି ନିୟମିତ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଥିଲା। ଫଳରେ ସ୍କିମାଟିକ୍ ଶିକ୍ଷକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ସ୍କିମାଟିକ୍ ଶିକ୍ଷକଙ୍କ ଏହି ଉତ୍ସାହ ଅଧିକ ଦିନ ରହି ନଥିଲା। ଗଣଶିକ୍ଷା ବିଭାଗର ୱେବସାଇଟ୍ରେ ଅପଲୋଡ୍ ହୋଇଥିବା ଏହି ପ୍ରସ୍ତାବକୁ ମାତ୍ର ୨ଦିନ ପରେ ଡିଲିଟ୍ କରିଦିଆଗଲା। ଫଳରେ ସରକାରଙ୍କ ଆଭିମୁଖ୍ୟ ନେଇ ଆଶଙ୍କା ବଢ଼ିଥିଲା। ଗୁରୁବାର ଏହି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରସ୍ତାବଟି ଏପର୍ଯ୍ୟନ୍ତ ଉପଯୁକ୍ତ ସ୍ତରରେ ଅନୁମୋଦିତ ହୋଇ ନ ଥିବା ଦର୍ଶାଯାଇଛି।
ପ୍ରସ୍ତାବ ପ୍ରତ୍ୟାହୃତ ହେବା ପରେ ସ୍କିମାଟିକ୍ ଶିକ୍ଷକ ପଦ ଉଚ୍ଛେଦ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଭାଗ୍ୟ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯାଇଛି। ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାହିଁକି ପ୍ରସ୍ତାବକୁ ସାର୍ବଜନୀନ କରାଗଲା ଏବଂ ପୁଣି ପ୍ରତ୍ୟାହାର କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ଶିକ୍ଷକଙ୍କୁ ଠକିବାରେ ସରକାର ଧୂରନ୍ଧର। ବିଭିନ୍ନ ଶିକ୍ଷକ ସଂଘ ସହ ଆଲୋଚନା କରି ପ୍ରସ୍ତାବ ନେଲେ, ତାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଲେ। ହେଲେ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତାକୁ ପ୍ରତ୍ୟାହାର କରିନେବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରା ନ ଗଲେ ବିରାଟ ଶିକ୍ଷକ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅପରପକ୍ଷରେ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ପ୍ରସ୍ତାବ ସାର୍ବଜନୀନ କରିବାର ଏହା ପାଶ୍ୱର୍ପ୍ରତିକ୍ରିୟା ବୋଲି କ୍ଷମତା କରିଡରରେ ଆଲୋଚନା ଜୋର ଧରିଛି। ଶିକ୍ଷକଙ୍କ ଅସନ୍ତୋଷ ବିଧାନସଭା ସମୟରେ ସରକାରଙ୍କୁ ଅକଳରେ ପକାଇପାରେ ବୋଲି ମଧ୍ୟ ଶିକ୍ଷାବିତ୍ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।