ଯୌତୁକ ପାଇଁ ବଧୂହତ୍ୟା: ଅଭିଯୋଗ ଆଣିଲେ ବାପା

youtube

ଅନୁଗୁଳ: କେତେ କଣ ସ୍ବପ୍ନ ନେଇ ଶାଶୁଘରେ ପାଦ ଦେଇଥିଲେ ଟିକି । ହେଲେ ଭାଙ୍ଗିଗଲା ତାଙ୍କର ସବୁ ସ୍ବପ୍ନ । ଶାଶୁ ଘରେ ନିର୍ଯାତନାର ଶିକାର ହୋଇ ଶେଷରେ ଯୌତୁକ ଜୁଇରେ ଟିକି ଜଳିଗଲେ ବୋଲି ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଅନୁଗୋଳ ଜିଲା ହଣ୍ଡପ୍ପା ଥାନା କଦଳିମୁଣ୍ଡାରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଦାବି କରି ଝିଅର ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଟିକିଙ୍କ ବାପା ।

କୁଶକିଳା ଗାଁର ରବି ବେହେରାଙ୍କ ଝିଅ ଟିକି ବେହେରା । ବୈଦିକ ରୀତିରେ କଦଳିମୁଣ୍ଡା ଗାଁର ସୁନୀଲ ବେହେରାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଦୁଇ ଜଣଙ୍କ ଭିତରେ ଅଶାନ୍ତି ଦେଖାଗଲା । ବିଭିନ୍ନ ସମୟରେ ସୁନୀଲଙ୍କ ସମେତ ତାଙ୍କ ଘର ଲୋକ ଟିକିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସହ ଜୀବନରୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ । ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଝିଅର ବାପା । ଘଟଣାକୁ ଗୁରୁତ୍ବର ସହ ନେଇ ହଣ୍ଡପ୍ପା ପୋଲିସ ଆରମ୍ଭ କରିଛି ତଦନ୍ତ ।

ସେପଟେ ଏ ଘଟଣାକୁ ଅସ୍ବୀକାର କରିଛନ୍ତି ଟିକିର ଶ୍ବଶୁର । ସାପ କାମୁଡାରେ ବୋହୂର ମୃତ୍ୟୁ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି । ଏଣୁ ପୋଲିସ ଏ ଘଟଣାକୁ ଗୁରୁତ୍ବର ସହ ନେଇ ଛାନଭିନ୍ କରୁଛି ।

ଟିକି ଯୌତୁକ ଜୁଇରେ ଜଳିଲେ ନା ସାପ କାମୁଡ଼ି ଦେଲା । କିଏ କହୁଛି ସତ । ବ୍ୟବଚ୍ଛେଦ ପରେ ହିଁ ଟିକିଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ । ଯଦି ସତରେ ଯୌତୁକ ପାଇଁ ଟିକିଙ୍କ ଜୀବନ ଯାଇଥାଏ ତେବେ ଆଇନ୍ ଅନୁସାରେ ଅଭିଯୁକ୍ତଙ୍କୁ ଶାସ୍ତି ମିଳିବା ଆବଶ୍ୟକ । ନଚେତ ଏମିତି କେତେ ଯେ ବୋହୂ ଅନ୍ୟାୟର ଶିକାର ହେବେ ତାର ହିସାବ କରିବା ମୁସ୍କିଲ ହୋଇପଡ଼ିବ ।

Leave A Reply

Your email address will not be published.