ଗାଁର ସୁରକ୍ଷା ପାଇଁ ବେଳାଭୁମୀରେ ନିଜସ୍ବ ଖର୍ଚ୍ଚରେ ଏକ ଲକ୍ଷରୁ ଅଧିକ ଝାଉଁ ଗଛ ରୋପଣ କଲେ ଗ୍ରାମବାସୀ

youtube

ବାଲେଶ୍ୱର : କିଏ କୋଦାଳ ରେ ମାଟି ତାଡୁଛି ତ କିଏ ଗଛ ଲଗାଇ ତା ମୂଳ ରେ ପାଣି ଦେଉଛି । ପିଲା ଠୁ ବୟସ୍କ ପର୍ଯ୍ଯନ୍ତ ସମସ୍ତେ ଗଛ ଲଗାଇବାରେ ବ୍ୟସ୍ତ । ରାତି ପାହିଲେ କୋଡି କୋଦାଳ ଧରି ପହଞ୍ଚି ଯାଉଛନ୍ତି ସମୂଦ୍ର ବେଳାଭୂମିରେ । କରୁଛନ୍ତି ବୃକ୍ଷ ରୋପଣ । କାରଣ ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ,ଘଟୁଛି ପ୍ରାକୃତିକ ଦୁର୍ବିପାକ, ସମୁଦ୍ର ଅଶାନ୍ତ ହୋଇ ଗାଁ ଆଡକୁ ମାଡି ଆସୁଛି । ଫଳରେ ସମୁଦ୍ର କୁଳିଆ ଗାଁ ପ୍ରତି ବଢୁଛି ବିପଦ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ପଂଚାୟତର ଗ୍ରାମବାସୀ । ପଞ୍ଚାୟତର କଙ୍କଡାପାଳ ଗାଁକୁ ଗୋଟିଏ ପଟେ ସମୁଦ୍ର କୁଳ ଖାଉଥିବା ବେଳେ ଅନ୍ୟପଟେ ସୁବର୍ଣ୍ଣରେଖା ନଦୀ କୁଳ ଖାଉଥିବାରୁ ଏବେ ବିପଦରେ ଏହି ଗାଁ । ଦଶ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦୁଇ ଗାଁ ସମୁଦ୍ର କୁଳରେ ରହିଛି । ଏହି ପଞ୍ଚାୟତରେ ରହିଛି ୯ କିଲୋମିଟର ସମୁଦ୍ର ବେଳାଭୁମୀ । ସମୁଦ୍ର ପ୍ରକୋପରୁ ଏହି ଗାଁକୁ ସୁରକ୍ଷା ଦେବା ପାଇଁ ୫୦ ବର୍ଷ ତଳେ ୩ ଥାକିଆ ଝାଉଁ ଜଙ୍ଗଲ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିଲା ।

ମାତ୍ର ଦୀର୍ଘ ବର୍ଷ ଧରି ନୂତନ ଗଛ ନଲଗାଇବା ଏବଂ ଏହି ଜଙ୍ଗଲକୁ ସୁରକ୍ଷା ନଦେବା ଫଳରେ ସମୁଦ୍ର ଜୁଆର ଏବଂ ଘୁର୍ଣ୍ଣୀଝଡ ଯୋଗୁଁ ଏହି ଜଙ୍ଗଲ ନଷ୍ଟ ହୋଇ ଗଲାଣି । ଏହା ସହିତ କାଠ ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ଲୋପ ପାଇଗଲାଣି । ତଟର ସୁରକ୍ଷା ଅଭାବ ସହିତ ଅବାଧ ଗଛ କଟା ଯୋଗୁଁ ପାଖାପାଖି ୪ କିଲୋମିଟର କୁଳ ଖାଇ ସାରିଲାଣି । ଯଦି ଏହାର ସୁରକ୍ଷା କରାନଯାଏ ତାହାହେଲେ ଅଳ୍ପ କିଛି ବର୍ଷ ମଧ୍ୟରେ ସମୂଦ୍ର ଗର୍ଭ ରେ ବିଲୀନ ହୋଇଯିବ ଏହି ଅଞ୍ଚଳ। ତେଣୁ ନିଜ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ବେଳାଭୂମୀରେ କରୁଛନ୍ତି ବୃକ୍ଷ ରୋପଣ । ଗତବର୍ଷ ଏଠାରେ ୪୦ ହଜାରରୁ ଅଧିକ ଝାଉଁ ଗଛ ରୋପଣ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ୫୦ ହଜାର ଗଛ ଲଗାଇବା ପାଇଁ ଯୋଜନା କରିଛନ୍ତି । ସେଥିପାଇଁ ନିଜସ୍ବ ଖର୍ଚ୍ଚରେ ଚାରା ପ୍ରସ୍ତୁତ କରି ନିଜେ ବୃକ୍ଷ ରୋପଣ କରିଛନ୍ତି ।

ସମୁଦ୍ର କୁଳ ଖାଉଥିବାରୁ ସ୍ଥାନୀୟ ଲୋକଙ୍କ ବହୁ ଦାବି ପରେ କଙ୍କଡା ପାଳ ଠାରେ ପାଖାପାଖି ୫ ଶହ ମିଟର ପଥରବନ୍ଧ କରାଯାଇଥିଲା। ସେହି ଜାଗାକୁ ଛାଡିଦେଲେ ଅନ୍ୟ ସବୁଠି କୁଳ ଖାଉଛି । ଚୌମୁଖ ପଞ୍ଚାୟତର କଙ୍କଡାପାଳ ଏବଂ ଚୌମୁଖ ଗାଁର ଲୋକମାନଙ୍କର ଚିନ୍ତାର କାରଣ ପାଲଟିଛି ସମୂଦ୍ର । ସମୂଦ୍ର ଗର୍ଭ ରେ ଲୀନ ହୋଇ ଯାଉଛି ସ୍ଥାନୀୟ ଲୋକମାନଙ୍କର ଭିଟାମାଟି ସାଙ୍ଗକୁ ବନ୍ଯା ବାତ୍ଯା ପ୍ରଭୃତି ପ୍ରାକୃତିକ ଦୁର୍ବିପାକ ରୁ ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେଉଥିବା ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲ । ସ୍ଥାନୀୟ ଲୋକଙ୍କ କହିବା କଥା ଏବେ ଯେଉଁଠି ସମୁଦ୍ର ଅଛି ଆଗରୁ ସେଠାରେ ଝାଉଁ ଜଙ୍ଗଲ ଥିଲା । ସମୟ କ୍ରମେ ସମୁଦ୍ର କୂଳ ଲଙ୍ଘି ସବୁକିଛି କରାଳ ଗର୍ଭରେ ଲୀନ ହୋଇଯାଇଛି । ଗତ ୟାସ ବାତ୍ଯା ରେ ଗାଂଆ ଭିତରକୁ ସମୁଦ୍ର ପାଣି ପଶି ଯିବାରୁ ଚାଷଜମି ସମେତ ପାନ ବରଜ ନଷ୍ଟ ହେବା ସହ ଘର ଦ୍ବାର ବି ଭାଙ୍ଗି ଯାଇଥିଲା । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି ଏଠାକାର ଲୋକେ ।

Leave A Reply

Your email address will not be published.