
ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଭାରତୀୟ ଫିଲ୍ମ ମହୋତ୍ସବ । ଆୟୋଜିତ ହେଲା ‘ଦ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବୋର୍ଣ୍ଣ’ ଆଇଏଫ୍ଏଫ୍ଏମ୍ -୨୦୨୫। ଏହି ଅବସରରେ ବହୁ ଭାରତୀୟ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବା ସହ ଏକ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଜ୍ ଭାବରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା, ସିନେ ପ୍ରଯୋଜକ ମୁକେଶ ଛାବରା, ଅଭିନେତ. ଜୟଦୀପ ଅହଲାବତ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ର ଉତ୍ସବକୁ ଉଦଘାଟନ କରିଥିଲେ ସୁପରଷ୍ଟାର ଅମୀର ଖାନ୍ ।
ଅଗଷ୍ଟ ୧୬ ତାରିଖ ଦିନ ଆୟୋଜିତ ଏହି ଉତ୍ସବରେ କୁନି କୁନି ଓଡ଼ିଆ ପିଲାମାନେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ଠାରୁ ପ୍ରଶଂସା ପାଇଥିଲେ । ଏହି ଗ୍ରୁପ୍ ନୃତ୍ୟରେ କ୍ରିତିକା ସାମନ୍ତ, ଅରାତ୍ରିକା ସାମନ୍ତ, ସାଇସା ପଟ୍ଟନାୟକ, ନିସ୍କା ମହାପାତ୍ର ଓ ଆର୍ଯ୍ୟାହି ମିଶ୍ର ରହିଥିଲେ । ସେମାନେ ସମ୍ବଲପୁରୀ ନୃତ୍ୟ ‘ଗୁଞ୍ଜୁରୁଗୁଞ୍ଜା’ ପରିବେଷଣ କରିଥିଲେ । ସେମାନଙ୍କ ପ୍ରଦର୍ଶନ ଜଜମାନଙ୍କୁ ଅଭିଭୂତ କରିଥିଲା । ଦର୍ଶକ ମଧ୍ୟ ଏହି କୁନି କୁନି ପିଲାଙ୍କ ନାଚରେ ଖୁବ୍ ତାଳି ବଜାଇ ଥିଲେ । ଯଦିଓ ପିଲାମନେ ମେଲବୋର୍ଣ୍ଣରେ ହିଁ ଜନ୍ମ ହୋଇଛନ୍ତି ତଥାପି ସେମାନଙ୍କ ପିତାମାତାଙ୍କ ଉଦ୍ୟମ ଯୋଗୁଁ ଓଡ଼ିଆ କଳା ସଂସ୍କୃତିକୁ ଭୁଲି ନାହାନ୍ତି । ଏକ ବଡ଼ ଅନ୍ତର୍ଜାତୀୟ ମଞ୍ଚରେ ଏହାକୁ ପ୍ରଦର୍ଶନ କରି ପ୍ରଶଂସା ପାଇଛନ୍ତି ।