
ଭୁବନେଶ୍ଵର : ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ପରଲୋକ । ଜଣେ ବିଶିଷ୍ଟ ଗଣିତଜ୍ଞ ଭାବେ ସେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ଭୁବନେଶ୍ବର ସ୍ଥିତ ତାଙ୍କର ବାସଭବନରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଶେଷ ସମୟରେ ତାଙ୍କ ପାଖରେ ଧର୍ମପତ୍ନୀ, ଦୁଇ ପୁଅ ଏବଂ ଝିଅ ଥିଲେ ।
ପ୍ରଫେସର ଦାସ ୧୯୯୮ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ଉପ-କୁଳପତି ହେବା ପୂର୍ବରୁ ଗଣିତ ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ସ୍ଥିତ ଗଣିତ ଏବଂ ପ୍ରୟୋଗ ପ୍ରତିଷ୍ଠାନର ଅଧ୍ୟକ୍ଷ ଥିଲେ ଏବଂ ଓଡ଼ିଶା ମ୍ୟାଥମେଟିକାଲ ସୋସାଇଟି ସହିତ ଜଡିତ ଥିଲେ । ସେ ସାମନ୍ତ ଚନ୍ଦ୍ର ଶେଖର ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଥିଲେ । ଜାତୀୟ ଗଣିତ ଏବଂ ଶିକ୍ଷା ଗବେଷଣା ପ୍ରତିଷ୍ଠାନ ଓଡ଼ିଶାର ଗବେଷକମାନଙ୍କୁ ଉତ୍ସାହିତ କରିବା ପାଇଁ ଗଣିତରେ ଗୋକୁଳାନନ୍ଦ ଦାସ ଗବେଷଣା ପୁରସ୍କାର ପ୍ରତିଷ୍ଠା କରିଛି । ଏପରିକି କଳିଙ୍ଗ ଟିଭିର ଇତିଙ୍କ ଆଳାପ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସେ ନିଜର ଅନୁଭୁତି ବଖାଣିଥିଲେ ।