ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଦୁର୍ଘଟଣାଗ୍ରସ୍ତ ବୀର ଯବାନଙ୍କ ଜୀବନ

youtube

କନ୍ଧମାଳ : କାନ୍ଧରେ ଧରିଥାଆନ୍ତି ଯବାନଙ୍କ ମରଶରୀର । ପଛରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁ ପରିଜନ ସମସ୍ତେ ଯାଉଥାଆନ୍ତି ଗାଁ ଶଶ୍ମାନକୁ। ଛଳ ଛଳ ଆଖିରେ ବୀର ପୁଅକୁ ଶେଷ ବିଦାୟ ଦେଉଛନ୍ତି । ସାଥୀ ଯବାନ ଓ ଅଞ୍ଚଳବାସୀଙ୍କ ରାମ ନାମ ସତ୍ୟ ହେ ବୀର ଯବାନ ଅମର ରହେ… ଅମର ରହେ…ନାରାରେ କମ୍ପି ଉଠୁଛି ପୁରା ପରିବେଶ । ସାଥୀ ଯବାନମାନେ ବୀର ଯବାନ ଭାଇକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧରେ ନେଇ ଯାଉଛନ୍ତି । ସମସ୍ତଙ୍କ ଆଖିରେ ଆଖିଏ ଲୁହ । ସ୍ତ୍ରୀ କୁନି କୁନି ପିଲାକୁ ଧରି କାନ୍ଦୁଛି । ମା’ ବି କହୁଛି ମୋ ସାହାସୀ ପୁଅ ଚାଲିଗଲା । ରୋଜଗାର କରି ଆମ ମୁହଁ ମୁହଁରେ ଦାନା ଦେଉଥିଲା କିଏ ଆମ କଥା ବୁଝିବ ଏମିତି କେତେ କଣ କହି କାନ୍ଦୁଛି ମା’ ।

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ ଗାଁ ମଲିକସାହିର ବୀର ଯବାନ ସୁରେଶ କୁମାର ମଲ୍ଲିକ । ଦୁର୍ଘଟଣା ବଶତଃ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ପରଲୋକ ଗମନ କରିଛନ୍ତି । ୯ ବିହାର ରେଜିମେଣ୍ଟ ରେ କାର୍ଯ୍ୟରତ ଯବାନ ସୁରେଶ ଜାମ୍ମୁ କାଶ୍ମୀରର ଉରି ଅଂଚଳରେ କାର୍ଯ୍ୟରତ ଥିବା ବେଳେ ଆହତ ହୋଇଥିଲେ l ପରେ ଦିଲ୍ଲୀ ଠାରେ ଥିବା ଆର୍ମିର ଆର୍ ଆର୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ l ଏବେ ତାଙ୍କର ପାର୍ଥବ ଶରୀର ଭିଟାମାଟିକୁ ଆସିଥିଲା । ଗାଁ ଭିଟାମାଟିରେ ମରଶରୀର ଆସି ପହଞ୍ଚିବା ପରେ ପୁରା ଗାଁ ଖେଳିଯାଇଥିଲା ଶୋକାକୁଳ ପରିବେଶ । ବୀର ଯବାନଙ୍କୁ ଝୁରିଥିଲା ଗାଁ ମାଟି। ସାଙ୍ଗସାଥୀ, ସଖା ସହୋଦର ବନ୍ଧୁ ବାନ୍ଧବ ସମସ୍ତଙ୍କ ଆଖିରେ ଆଖିଏ ଲୁହ ।

ତେବେ ଖଜୁରୀପଡ଼ା ଠାରୁ ଶୋଭାଯାତ୍ରାରେ ବଲସକୁମ୍ପା,ଫୁଲବାଣୀ ସହର ଦେଇ ଗୁଦାରୀ ଗାଁରେ ପହଞ୍ଚିଥିଲା ମରଶରୀର । ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ବିଦାୟ ଦେଇଥିଲେ। ଅନ୍ତିମ ସଂସ୍କାର ଗାଁରେ କରାଯାଇଥିଲା। ସେଠାରେ ଆର୍ମି ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା l ଖଜୁରୀପଡ଼ା ପୋଲିସ ଟିମ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସ୍ବର୍ଗତ ସୁରେଶଙ୍କ ପରିବାର କହିଲେ ୧୦ ବର୍ଷ ଓ ୪ ବର୍ଷର ଦୁଇ କୁନି କୁନି ପୁଅ , ସ୍ତ୍ରୀ,ମା,ଜଣେ ସାନ ଭାଇ ଅଛନ୍ତି । ରୋଜଗାର କହିଲେ ସୁରେଶ ହିଁ ସବୁ କିଛି ଥିଲେ । ଏବେ କେମିତି ବଞ୍ଚିବୁ ବୋଲି କହିଛନ୍ତି ପରିବାର ଲୋକେ।

ଗରିବ ପରିବାରରେ ଜନ୍ମିତ ସୁରେଶ ସେନାରେ ଯୋଗ ଦେବା ପରେ ଘରର ଆର୍ଥିକ ସ୍ଥିତି ଅନେକ ମାତ୍ରାରେ ସୁଧାରିବାରେ ଲାଗିଥିଲା । କିନ୍ତୁ ଏବେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ପୁରା ପରିବାର। ବାପା ଛେଉଣ୍ଡ ହୋଇଯାଇଛନ୍ତି ୨ ଭାଇ ।

Leave A Reply

Your email address will not be published.