
ନୂଆଦିଲ୍ଲୀ: ଆମେରିକାରର ଟାରିଫ୍ ୱାର ମଧ୍ୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି । ନୂଆଦିଲ୍ଲୀରେ ଉଭୟ ଭାରତ-ଚୀନ ସୀମା ବିବାଦ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକ ସୀମା ବିବାଦର ସମାଧାନ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ୨୪ତମ ପର୍ଯ୍ୟାୟ ସ୍ୱତନ୍ତ୍ର ପ୍ରତିନିଧି ଆଲୋଚନା ଅଧୀନରେ ହୋଇଥିଲା ।
ଅଜିତ ଡୋଭାଲ ଆଲୋଚନା ଆରମ୍ଭ କରି କହିଥିଲେ ଯେ ବର୍ତ୍ତମାନ ଉଭୟ ଦେଶର ସୀମା ଶାନ୍ତିପୂର୍ଣ୍ଣ ଅଛି । କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ମଧ୍ୟ ଉନ୍ନତି ହେଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ପାଇଁ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି ପାଇଛି । ଭାରତ-ଚୀନ କୂଟନୈତିକ ସମ୍ପର୍କ ୭୫ବର୍ଷ ପୂରଣ କରିଛି ଏବଂ ଏହି ସଫଳତାକୁ ପାଳନ କରିବାର ସମୟ ବୋଲି କୁହାଯାଇଛି । ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଅଛନ୍ତି ଏବଂ ସେ ଆଜି ଅଜିତ ଡୋଭାଲଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।