
ବ୍ରହ୍ମପୁର : ଆଜି ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ଏକତ୍ରିକରଣ ଆନ୍ଦୋଳନର ସହଯୋଦ୍ଧା ଡ଼ା.ସତ୍ୟ ନାରାୟଣ ରାଜଗୁରୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଓଡ଼ିଶା ଚାଷୀ ମୁଲିଆ ସଂଘର ଗଂଜାମ ଜିଲ୍ଲା ସଭାପତି ଆଇନଜୀବି ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ତାଙ୍କ ସଂପର୍କରେ ଆଲୋଚନା ହୋଇଥିଲା l ଓଡ଼ିଶାର ସାହିତ୍ୟ, ଇତିହାସ ଓ ସଂସ୍କୃତି ପ୍ରତି ସତ୍ୟ ନାରାୟଣ ରାଜଗୁରୁଙ୍କ ଅବଦାନ ଅମୂଲ୍ୟ ଓ ପ୍ରେରଣାଦାୟୀ ହେବାସହ ଓଡ଼ିଶା ଏକାତ୍ରିକରଣ ଆନ୍ଦୋଳନକୁ ଜଣେ ସହଯୋଦ୍ଧା ଭାବେ ପାରଳା ମହାରାଜାଙ୍କୁ ସେ ସହାୟତା କରିଥିଲେ ଏବଂ ଏକ ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରିଥିଲେ l ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣୀ ଦେବୀଙ୍କ ଔରସରୁ ପାରଳାଖେମୁଣ୍ଡି ଠାରେ ସତ୍ୟ ନାରାୟଣ ରାଜଗୁରୁ ୧୯୦୩ମସିହା ଅଗଷ୍ଟ ୧୯ତାରିଖରେ ଜନ୍ମ ଗ୍ରହଣ କରିଥିଲେ l ସେ ଜଣେ ପ୍ରଖ୍ୟାତ ଐତିହାସିକ, ଗବେଷକ, ଲିପିବିଦ୍ ଓ ସାହିତ୍ୟିକ ଥିଲେ l ଗୃହ ପଣ୍ଡିତଙ୍କ ଠାରୁ ସେ ସଂସ୍କୃତ ଶିକ୍ଷାଲାଭ ପରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଲାଭ କରିଥଲେ l ପରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଓ ସଂସ୍କୃତରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ l ସେ ୧୯୨୯ରେ ପାରଳାଖେମୁଣ୍ଡିର ପଦ୍ମନାଭ ରଙ୍ଗାଳୟରେ ପରିଚାଳକ ଭାବେ କାର୍ଯ୍ୟ ଆରମ୍ଭ କରିଥଲେ l ୧୯୪୭ରେ କଳିଙ୍ଗ ଐତିହାସିକ ଗବେଷଣା ସମିତିରେ ଯୋଗ ଦେଇଥିଲେ l ୧୯୫୦ ରୁ ୧୯୬୧ମଧ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଭିଲେଖ ବିଭାଗରେ କ୍ୟୁରେଟର ଏବଂ ୧୯୬୩ରୁ ୧୯୭୦ମଧ୍ୟରେ ଲିପିବିଦ୍ ଭାବେ କାର୍ଯ୍ୟ କରିଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ଵ ଉପଦେଷ୍ଟା ଭାବେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ l ସେ ଓଡ଼ିଶାର ଇତିହାସ ଓ ସଂସ୍କୃତି ଉପରେ ଗବେଷଣା କରି ଅନେକ ଐତିହାସିକ ପ୍ରବନ୍ଧ ଲେଖିଛନ୍ତି ଯାହା ‘ଉତ୍କଳ ସାହିତ୍ୟ ‘, ସହକାର, ନବଭାରତ ଆଦି ପତ୍ରିକାରେ ପ୍ରକାଶ ପାଇଥିଲା l ସେ ଜୟଦେବଙ୍କ ପ୍ରାରମ୍ଭିକ ଜୀବନ ଉପରେ ମୂଲ୍ୟବାନ ତଥ୍ୟ ସଂଗ୍ରହ ସହ ପ୍ରକାଶ କରିଥଲେ l ସେ ସରୋଜିନୀ ନାଇଡୁଙ୍କ ଇଁରାଜୀ କବିତା ‘The Palanquin Bearers “କୁ ଓଡ଼ିଆରେ ପାଲିଙ୍କି ବାହକ” ନାମରେ ଅନୁବାଦ କରିଥଲେ l ତାଙ୍କ ଅନେକ ବହି ବିଶ୍ଵବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ଵୀକୃତ ହୋଇଛି l ୧୯୭୪ରେ ଭାରତ ସରକାଙ୍କଠାରୁ ସେ ପଦ୍ମଶ୍ରୀ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତୀ ଭୂଷଣ ପୁରସ୍କାର, ଗଞ୍ଜାମ ସାହିତ୍ୟ ସମ୍ମୀଳନୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାରଳା ସମ୍ମାନ ପାଇଛନ୍ତି l ତାଙ୍କ ଅମୂଲ୍ୟ ସାହିତ୍ୟିକ କୀର୍ତ୍ତି ଓ ତାଙ୍କ କାର୍ଯ୍ୟ ଆଜି ମଧ୍ୟ ଗବେଷକ ଓ ସାହିତ୍ୟିକଙ୍କ ପାଇଁ ପ୍ରେରଣାଦାୟୀ ଅଟେ l ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଂପାଦକ ଏସ. ସାମ୍ବସିବା ରାଓ, ଏସ. ସତ୍ୟ ନାରାୟଣ ରାଓ, ଏସ. କେଶବ ଲିଙ୍ଗମ, ହୃଷିକେଶ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l