ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ର ଧରି ରାମଧୁନ୍ ଗାଇ ଗ୍ରାମ ପରିକ୍ରମା କରିଥିଲେ। ପରେ ବିଦ୍ୟାଳୟରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ସନାତନ ଅମାୟତ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଚନ୍ଦନ ଅର୍ପଣ କରିବା ସହ ଧୂପ ଓ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ପରିବେଷଣ କରାଯାଇଥିଲା। ସଭାରେ ଛାତ୍ରୀ ମାନସୀ ମଳିକ ଓ ଛାତ୍ର ରାମ ବାଘ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନାଦର୍ଶ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଅମାୟତ ନିଜ ବକ୍ତବ୍ୟରେ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ବଡ଼ ହୋଇ ସେମାନଙ୍କ ଭଳି ଦେଶ ଓ ସମାଜର ସେବା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ସେହିପରି ସହକାରୀ ଶିକ୍ଷକ ଅଲେଖ ରଣା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଜୀବନରେ ଜଣେ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ। ଶେଷରେ ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ସମ୍ମିତା ପୃଷ୍ଟି ଓ ଅଞ୍ଜଳୀ ମଳିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯିବା ସହ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା।
