ବ୍ରହ୍ମପୁର ମହିଳା ହତ୍ୟାକାଣ୍ଡ: କର୍ଣ୍ଣାଟକରୁ ଅଭିଯୁକ୍ତ ଗିରଫ

youtube

ବ୍ରହ୍ମପୁର: ସ୍ଥାନୀୟ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ଘଟିଥିବା ବହୁଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବ୍ରହ୍ମପୁର ପୁଲିସ କର୍ଣ୍ଣାଟକରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ଶାନ୍ତନୁ କୁମାର ପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ.ପି. ଡା. ସର୍ବଣା ବିବେକ ଏମ. ଏହି ସୂଚନା ଦେଇଛନ୍ତି।

ଘଟଣାର ପୃଷ୍ଠଭୂମି:
ମୃତ ମହିଳା ଗାୟତ୍ରୀଙ୍କ ସହ ଅଭିଯୁକ୍ତ ଶାନ୍ତନୁର ସମ୍ପର୍କ ଫେସବୁକରୁ ଆରମ୍ଭ ହୋଇଥିଲା। ଶାନ୍ତନୁ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଣ୍ଡପଡ଼ାରେ ଜଣେ ସମ୍ପର୍କୀୟା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିଲା। ସେଠାରୁ ଫେରାର ହେବା ପରେ ସେ ‘ସୁନୀଲ ସ୍ୱାଇଁ’ ନାମରେ ଏକ ନକଲି ଆଧାର କାର୍ଡ ତିଆରି କରି ନିଜ ପରିଚୟ ଲୁଚାଇଥିଲା।

ଦୁଇ ବର୍ଷ ପୂର୍ବେ ଗାୟତ୍ରୀ ନିଖୋଜ ଥିବା ନେଇ ବଡବଜାର ଥାନାରେ ଏକ ଅଭିଯୋଗ ହୋଇଥିଲା। ସେତେବେଳେ ସେ ଶାନ୍ତନୁ ସହ ଫେରାର ହୋଇଥିଲେ ଏବଂ ୧୦ ଦିନ ପରେ ଘରକୁ ଫେରିଥିଲେ। ଏହାପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଜାରି ରହିଥିଲା।

ହତ୍ୟାକାଣ୍ଡର କାରଣ ଓ ଯୋଜନା:
ଗାୟତ୍ରୀଙ୍କ ସ୍ୱାମୀ ଭୁବନେଶ୍ୱରରେ ରହୁଥିବା ବେଳେ ସେ ନିଜ ଛୋଟ ଝିଅ ସହ ଶ୍ରୀମା ନଗରରେ ଏକ ଭଡ଼ା ଘରେ ରହୁଥିଲେ। କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ଗାୟତ୍ରୀ ପୂର୍ବ ଭଳି ସମ୍ମାନ ଦେଉନଥିବାରୁ ଶାନ୍ତନୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ସେ ଗାୟତ୍ରୀଙ୍କ ଘରଠାରୁ ମାତ୍ର ୭୦୦ ମିଟର ଦୂରରେ ଏକ ଘର ଭଡ଼ା ନେଇ ରହୁଥିଲା।

ହତ୍ୟାକାଣ୍ଡ ଦିନ ରାତିରେ ଶାନ୍ତନୁ ଗାୟତ୍ରୀଙ୍କ ଘରକୁ ଯାଇଥିଲା ଏବଂ ମଧ୍ୟରାତ୍ରରେ ସେଠାରୁ ବାହାରି ଯାଇଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସେହି ରାତିରେ ଗାୟତ୍ରୀ ଘର ମାଲିକଙ୍କୁ ମୁଖ୍ୟ ଫାଟକରେ ତାଲା ନ ପକାଇବାକୁ କହିଥିଲେ। ଏହି ସୁଯୋଗରେ ଅଭିଯୁକ୍ତ ଜଣକ ଗାୟତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ତାଙ୍କ ନାବାଳିକା ଝିଅକୁ ମଧ୍ୟ ଆକ୍ରମଣ କରିଥିଲା, ଯିଏ ଏବେ ଜୀବନ ସହ ସଂଗ୍ରାମ କରୁଛି।

ପୁଲିସର ତଦନ୍ତ ଓ ଗିରଫଦାରୀ:
ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୌଶଳକ୍ରମେ ବ୍ରହ୍ମପୁର ରେଳ ଷ୍ଟେସନରୁ ଫେରାର ହୋଇଯାଇଥିଲା। ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଖୋଜାଖୋଜି କରିବା ପରେ ଶେଷରେ ତାକୁ କର୍ଣ୍ଣାଟକରୁ ଗିରଫ କରିବାରେ ସଫଳ ହୋଇଥିଲା।

ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି କୋର୍ଟରେ ହାଜର କରାଯାଇଛି। ଅଧିକ ତଦନ୍ତ ଓ ସିନ୍ ରିକ୍ରିଏସନ୍ ପାଇଁ ପୁଲିସ ତାକୁ ତିନି ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ବୋଲି ଏସ.ପି. ସୂଚନା ଦେଇଛନ୍ତି।

Leave A Reply

Your email address will not be published.