ଛତ୍ରପୁର, ୨/୧୦: ଆଜି ଗଞ୍ଜାମ ଜିଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ସ୍ୱପ୍ନକୁ ସାକାର କରିବା ସହ ଗ୍ରାମୀଣ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗିଦାରି ବଢ଼ାଇବା ଏହି ସ୍ୱତନ୍ତ୍ର ଗ୍ରାମସଭାର ମୁଖ୍ୟ ଉଦ୍ଦେଶ୍ୟ।
ଗ୍ରାମସଭାରେ ପଞ୍ଚାୟତ ପ୍ରତିନିଧି, ସରକାରୀ କର୍ମଚାରୀ, ଯୁବକ ସଂଘର ସଦସ୍ୟ ଓ ଗ୍ରାମବାସୀ ଯୋଗଦେଇ ଗ୍ରାମର ମୌଳିକ ସମସ୍ୟା, ପଞ୍ଚାୟତ ବିକାଶ ଯୋଜନା, ରାସ୍ତାଘାଟ, ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଶିକ୍ଷା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ଛତ୍ରପୁର ବ୍ଲକ ଚମାଖଣ୍ଡି ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ ଯୋଗଦେଇ ଗ୍ରାମସଭାର ଉଦ୍ଦେଶ୍ୟ ଓ ଗ୍ରାମୀଣ ବିକାଶରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ଆଗାମୀ ଦିନରେ ଚମାଖଣ୍ଡି ପଞ୍ଚାୟତ ସମେତ ଜିଲାର ସମସ୍ତ ପଞ୍ଚାୟତକୁ ଶିଶୁ ଶ୍ରମିକମୁକ୍ତ ପଞ୍ଚାୟତରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଥିବା ଅବସରରେ କୁହାଯାଇଥିଲା। ଏଥିସହ ପ୍ରଶାସନିକ ସଂସ୍କାର, ସ୍ୱଚ୍ଛତା ଓ ଜନସାଧାରଣଙ୍କୁ ସରକାରୀ ସେବାକୁ ଅଧିକ ସହଜ ଓ ସୁଗମ କରିବା ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଗ୍ରାମର ସାମଗ୍ରିକ ବିକାଶ ପାଇଁ ଗ୍ରାମସଭା ଏକ ପ୍ରଭାବଶାଳୀ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମତପ୍ରକାଶ ପାଇଥିଲା।
