
ମାଲକାନଗିରି: ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ଆତ୍ମସମର୍ପଣ କଲେ ହାର୍ଡକୋର ମାଓ ଦମ୍ପତିଙ୍କ ସହ ୪ ମାଓବାଦୀ । ଆଣ୍ଟି ନକ୍ସଲ ଅପରେସନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଓଁ ପୋଲିସକୁ ମିଳିଲା ବଡ ସଫଳତା ।
ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଲକ୍ଷ୍ମଣ କୋରାମ ଓରଫ ଜୁନୁ ଓ ସଖରମଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୁର୍ବରୁ ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେଇଭଳି ଲକ୍ଷଣଙ୍କ ପତ୍ନୀ ମାଦୋ ଓରଫ ଜରିନା ଉପରେ ୫ ଲକ୍ଷ ଓ ପାଣ୍ଡୁରାମ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ସମସ୍ତ ମାଓବାଦୀ ବସ୍ତର, କୋଣ୍ଡାଗାଁଓ, କାଙ୍କେର, ଦନ୍ତେୱାଡା ଓ ମାନପୁର ଅଂଚଳରେ ଅନେକ ମାଓ ହିଂସାରେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି । ଛତିଶଗଡ଼ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ନୂଆ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୋଣ୍ଡାଗାଁଓ ଏସପି Y ଅକ୍ଷୟ କୁମାର କହିଛନ୍ତି ।