ଭାରତ ଚଳାଇଲା ଗୋଟି, ନିଜ ଜାଲରେ ଫସିବେ ଟ୍ରମ୍ପ!

youtube

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ ଟ୍ରମ୍ପ ନିଜ ଚାଲରେ ହିଁ ଫସିବାକୁ ଯାଉଛନ୍ତି । ଭାରତ ଟ୍ରମ୍ପକୁ ମାତ୍ ଦେବାକୁ ତାର ଯୋଜନା ପ୍ରସ୍ତୁତ କରିସାରିଛି । ବ୍ରିକ୍ସ ବନ୍ଧୁଙ୍କ ସହ ମିଶି ଏବେ ଟ୍ରମ୍ପଙ୍କୁ ଚକମା ଦେବା ପାଇଁ ଅଣ୍ଟା ଭିଡିସାରିଛି ଭାରତ । ଆମେରିକା ଭାରତ ଉପରେ ଶୁଳ୍କ ବୋମା ପକାଇବା ପରଠାରୁ ଭାରତ ରୁଷ ଏବଂ ଚୀନ୍ ସହିତ ତାର ସମ୍ପର୍କକୁ ସୁଦୃଢ଼ କରିବା ଆରମ୍ଭ କରିଛି । ଶୁଳ୍କ ବର୍ଷା ପରେ ଏବେ ରୁଷ ଏବଂ ଚୀନ ସହିତ ଘନ ଘନ ବୈଠକ କରୁଛି ଭାରତ । ସୋମବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଇ ସହ ସାକ୍ଷାତ କରିବା ପରେ ଏବେ ସିଧା ରୁଷରେ ଯାଇ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଗଷ୍ଟ ୧୯ ରୁ ୨୧ ପର୍ଯ୍ୟନ୍ତ ରୁଷର ତିନି ଦିନିଆ ସରକାରୀ ଗସ୍ତରେ ଅଛନ୍ତି। ଭାରତ-ରୁଷ ଆନ୍ତଃ-ସରକାରୀ କମିଶନ ବୈଠକରେ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଉପରେ ଆଲୋଚନା କରାଯିବ। ଯାହା ଉପରେ ଆମେରିକା ନିହାତି ନଜର ରଖିବ ।

ଦୂର ହେଉଛି ଚୀନ-ଭାରତ ପୁରୁଣା ତିକ୍ତତା

ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ବର୍ତ୍ତମାନ ଭାରତରେ ଅଛନ୍ତି । ଗତ ୧୮ ତାରିଖରେ ଭାରତ ଆସିଥିବା ୱାଙ୍ଗ ୟି, ଭାରତର ପ୍ରମୁଖ ନେତୃତ୍ବ ବୈଦେଶିକ ମନ୍ତ୍ରୀ, ଏନଏସଏ ଅଜିତ୍ ଡୋଭାଲ୍ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିସାରିଛନ୍ତି । ସେ କହିଛନ୍ତି ଯେ ଭାରତ-ଚୀନ୍ ସମ୍ପର୍କ ସହଯୋଗକୁ ଫେରିବା ଦିଗରେ ଏକ ସକାରାତ୍ମକ ଧାରା ଦେଖାଉଛି। ସେ ଜୋର ଦେଇଛନ୍ତି ଯେ ଉଭୟ ଦେଶ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବରଂ ଅଂଶୀଦାର ଭାବରେ ଦେଖିବା ଉଚିତ । ଏଥିସହିତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଚୀନ୍‌ର ପ୍ରତିନିଧିମାନଙ୍କୁ ଭେଟିବା ପରେ, ସମ୍ମାନ ଦ୍ୱାରା ପରିଚାଳିତ ସମ୍ପର୍କରେ ସ୍ଥିର ପ୍ରଗତି ହେଉଛି ବୋଲି କହିଛନ୍ତି । ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ୭ ବର୍ଷ ପରେ ଚୀନ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହା ଭାରତ-ଚୀନ୍ ସମ୍ପର୍କରେ ସକାରାତ୍ମକ ଅଗ୍ରଗତିକୁ ପ୍ରତିଫଳିତ କରୁଥିବା ବେଳେ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ମଧ୍ୟ ଦୁଇ ଦେଶ ପ୍ରତିବଦ୍ଧତା ଦେଖାଇଛନ୍ତି ।

Leave A Reply

Your email address will not be published.