
ମହାରାଷ୍ଟ୍ର : ମହାରାଷ୍ଟ୍ର ୟବତମାଲରେ ଦୁଃଖଦ ଘଟଣା । ରେଳ କାର୍ଯ୍ୟ ପାଇଁ ଖୋଳାଯାଇଥିବା ଏକ ଗଭୀର ଗାତରେ ବୁଡ଼ି ଚାରି ଜଣ ନିରୀହ ଶିଶୁ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଦାରୱା-ନେର ରାସ୍ତା ନିକଟସ୍ଥ ରେଳ ଷ୍ଟେସନ ପରିସରରେ ଘଟିଛି ।
ଖବର ମୁତାବକ, ୱାର୍ଦ୍ଧା-ୟବତମାଲ-ନାନ୍ଦେଦ ରେଳ ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲିଛି । ଏହି ସେତୁର ପିଲର ତିଆରି ପାଇଁ ଅନେକ ଗଭୀର ଗାତ ଖୋଳାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି ଗାତଗୁଡ଼ିକ ପାଣିରେ ପରିପୂର୍ଣ୍ଣ ହୋଇଯାଇଥିଲା । ବୁଧବାର ଅପରାହ୍ନରେ ଏହି ପିଲାମାନେ ଗାଧୋଇବା ପାଇଁ ଏହି ଗାତକୁ ଯାଇଥିଲେ । ହେଲେ ପାଣିର ଗଭୀରତା ନ ଜାଣିପାରି ବୁଡ଼ିଯାଇଥିଲେ ।
ମୃତ ପିଲାମାନେ ଦାରୱାର ବାସିନ୍ଦା ରିହାନ ଅସଲମ ଖାନ (୧୩), ଗୋଲୁ ପାଣ୍ଡୁରଙ୍ଗ ନାରନାଭରେ (୧୦), ସୋମ୍ୟ ସତୀଶ ଖାଡସନ (୧୦) ଏବଂ ବୈଭବ ଆଶିଷ ବୋଧଲେ (୧୪) ବୋଲି ଚିହ୍ନଟ କରାଯାଇଛି ।
ପାଖରେ ଥିବା ଲୋକମାନେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଦାରୱାର ଉପ-ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଯବତମାଲର ସଞ୍ଜୀବନୀ ଡାକ୍ତରଖାନାକୁ ପଠାଯାଇଥିଲା । ଯେଉଁଠାରେ ଡାକ୍ତରମାନେ ଚାରି ଜଣଙ୍କୁ ମୃତ ଘୋଷଣା କରିଥିଲେ ।