
ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ । ହମାସକୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଧମକ । ଇସ୍ରାଏଲର ସର୍ତ୍ତରେ ଯଦି ହମାସ ରାଜି ନହୁଏ ତେବେ ଗାଜାକୁ ଧ୍ବଂସ କରିଦିଆଯିବ ବୋଲି କାଟଜ୍ କହିଛନ୍ତି । ଯାହାର ଚେତାବନୀ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ସୋସିଆଲ ମିଡିଆର X ପ୍ଲାଟଫର୍ମରେ ଦେଇଛନ୍ତି ।
ସୂଚନାନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଗାଜାକୁ ଧ୍ୱଂସାବଶେଷ ପାଉଁଶ ଗଦାରେ ପରିଣତ କରିବାକୁ ଧମକ ଦେଇଛନ୍ତି । ଯାହା ଆଗକୁ ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । ଏହି ଚେତାବନୀ ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ ଇସ୍ରାଏଲ ଗାଜା ସହର ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ଏଥି ସହିତ ସେ ଆହିରି କହିଛନ୍ତି ଯେ, ଯଦି ଗାଜାରେ ଲୁଚି ରହିଥିବା ହମାସ ଏବଂ ଦୁଷ୍କର୍ମକାରୀମାନେ ଇସ୍ରାଏ ସର୍ତ୍ତରେ ରାଜି ନହୁଅନ୍ତି ତେବେ ସେମାନଙ୍କ ପାଇଁ ନର୍କର ଦ୍ବାର ଖୋଲିଯିବ । ଏହା ଛଡ଼ା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଇସ୍ରାଏଲ କେବଳ ଯୁଦ୍ଧବିରତି ପାଇଁ ରାଜି ହେବ । ଯଦି ସମସ୍ତ ଇସ୍ରାଏଲୀ ବନ୍ଧକଙ୍କୁ ନିଃସର୍ତ୍ତ ମୁକ୍ତ କରାଯାଏ ଏବଂ ହମାସକୁ ସମ୍ପୂର୍ଣ୍ଣ ନିରସ୍ତ୍ର କରାଯାଏ। କିନ୍ତୁ ଅନ୍ୟ କୌଣସି ପାଇଁ ଚୁକ୍ତି କରାଯିବ ନାହିଁ ସ୍ପଷ୍ଟ କରିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ।
ଅନ୍ୟପଟେ ହମାସ କହିଛି ଯେ, ବନ୍ଧକଙ୍କ ମୁକ୍ତି ବଦଳରେ ଯୁଦ୍ଧ ସମାପ୍ତ କରିବାକୁ ରାଜି ହୋଇପାରେ । କିନ୍ତୁ ଇସ୍ରାଏଲର ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ହମାସ । ଏହା ବ୍ୟତୀତ ହମାସ ଦାବି କରିଛି ଯେ, ଏକ ସ୍ୱାଧୀନ ପାଲେଷ୍ଟାଇନୀ ରାଷ୍ଟ୍ର ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଏହା ତା’ର ଅସ୍ତ୍ର ରଖିବ ନାହିଁ । ଏହି ମନୋଭାବ ଦୁଇ ପକ୍ଷ ମଧ୍ୟରେ ଆହୁରି ଦୂରତା ବୃଦ୍ଧି କରିଛି । ଯାହା ଏକ ଦୀର୍ଘ ସମୟ ପାଇଁ ଭୟଙ୍କର ଯୁଦ୍ଧର ଭୟ ସୃଷ୍ଟି କରିଛି । ଜାତିସଂଘ ଏବଂ ଅନ୍ୟାନ୍ୟ ବିଶ୍ୱ ସଂଗଠନଗୁଡ଼ିକ ବାରମ୍ବାର ଯୁଦ୍ଧବିରତି ପାଇଁ ନିବେଦନ କରୁଛନ୍ତି । ହେଲେ ଇସ୍ରାଏଲ ନିଜ ମତରେ ଅଟଳ ରହିଛି ।