
ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି । ନୂଆ ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ଗଛ ଉପରେ ଚଢି ପାଚେରୀ ଡେଇଁ ସଂସଦ ଭିତରକୁ ପଶିଥିଲା ଯୁବକ । ପାର୍ଲାମେଣ୍ଟ ବିଲଡିଂର ଗରୁଡ଼ ଗେଟ୍ ନିକଟରେ ପହଞ୍ଚିଯାଇଥିଲା ଅନୁପ୍ରବେଶକାରୀ । ହେଲେ ତାଙ୍କୁ କାବୁ କରିନେଇଥିଲେ ସୁରକ୍ଷାକର୍ମୀ ।
ଖବର ମୁତାବକ, ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରୀ ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣକ ସଂସଦ ଭିତରକୁ ପଶିଥିଲା, ତାର କାରଣ ଜଣାପଡିନାହିଁ । ତେବେ ଯୁବକଙ୍କୁ ଧରିବା ପରେ ସିଆଇଏସଏଫ ଯବାନ ସଂସଦମାର୍ଗ ପୋଲିସ ଷ୍ଟେସନରେ ହସ୍ତାନ୍ତର କରିଥିଲେ ।
ମୌସୁମୀ ଅଧିବେଶନ ସରିବାର ଦିନକ ପରେ ଏହି ଘଟଣା ଘଟିଛି । ଗତବର୍ଷ ମଧ୍ୟ ସମାନ ଘଟଣା ଘଟିଥିଲା । ଜଣେ ଯୁବକ ପାଚେରୀ ଡେଇଁ ସଂସଦ ଭବନ ଭିତରକୁ ପ୍ରବେଶ କରିଥିଲା ।