ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‌ଯାପିତ, ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ

youtube

ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘ (ମୁନ୍‌)ର ଦ୍ୱାଦଶ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି  ।  ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଲେ, ଆଜିର ବିଶ୍ୱରେ ସ୍ଥିରତା ସଙ୍କଟ ଦେଖା ଦେଇଥିବା ବଳେ ନବସର୍ଜନା ଓ ସାମୂହିକ ପ୍ରୟାସ ଫଳରେ ସଙ୍କଟର ସମାଧାନ ହୋଇପାରିବ ।  ଏବେ ଆମେ ପରସ୍ପର ମଧ୍ୟରେ ସହଯୋଗ ସହ ବାସ କରୁଛୁ ।  ତେବେ ଜଳବାୟୁ ପରିବର୍ତନ, ଦାରିଦ୍ର‌୍ୟ, ମହାମାରୀ, ଲିଙ୍ଗଗତ ସମାନତା, ଡିଜିଟାଲ ପରିବର୍ତନ ଏବଂ ସୀମା ବାହାରକୁ ବ୍ୟାପିଥିବା ଆଂଚଳିକ ସଂଘର୍ଷ ଆଦି ଏବେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ତଥାପି ଏହା ନବସର୍ଜନା, ସ୍ଥାୟୀ ବିକାଶ ଏବଂ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଅପାର ସୁଯୋଗ ରହିଛି ବୋଲି ସେ କହିଥିଲେ ।  ଆଲୋଚନା ଜରିଆରେ ବିବିଧତା ଏବଂ ବିଶ୍ୱ ନାଗରିକତାର ମୂଲ୍ୟବୋଧକୁ ଗ୍ରହଣ କରୁଥିବାରୁ ରାଜ୍ୟପାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବ ପ୍ରତିନିଧିମାନଙ୍କୁ ପ୍ରଶଂସା କରିଥିଲେ ।  ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ରାଜ୍ୟପାଳ କହିଲେ, ନେତୃତ୍ୱକୁ କର୍ତୃତ୍ୱ ଅପେକ୍ଷା ସେବା ଏବଂ ଦଳଗତ କାର୍ଯ୍ୟକୁ କର୍ତବ୍ୟ ଭାବରେ ଗ୍ରହଣ କରିବା ଉଚିତ । ନିଜର ବ୍ୟକ୍ତିଗତ ଅନୁଭୂତି ନେଇ ସେ କହିଲେ, ଜାତିସଂଘରେ ଭାରତକୁ ପ୍ରତିନିଧିତ୍ୱ କରିବା ତାଙ୍କର ଜୀବନବ୍ୟାପୀ ସ୍ୱପ୍ନ ଥିଲା, କିନ୍ତୁ ସେହି ସ୍ୱପ୍ନ ପୂରଣ ହୋଇପାରିନାହିଁ ।ତେବେ ଛାୟା ଜାତିସଂଘ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବେଶ ଆନନ୍ଦିତ ବୋଲି କହିଥିଲେ ।

ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟପାଳଙ୍କ ନମ୍ରତା ଏବଂ ମାନବିକ ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ । ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଡ କମ୍ଭମପତି କିପରି କିସ୍ ଛାତ୍ରଛାତ୍ରୀଙ୍କ ସହିତ ସାମୂହିକ ଭୋଜନ କରିଥିଲେ ତାହା ମନେପକାଇ ଶ୍ରୀ ସାମନ୍ତ ରାଜ୍ୟପାଳଙ୍କ ଉଦାରତାର ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ସାମନ୍ତ କହିଲେ, ଛାୟା ଜାତିସଂଘ ଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ଚିନ୍ତାଧାରା ସହ ଆସିଥାନ୍ତି ହେଲେ ଫେରିବା ସମୟରେ ହଜାରେଟି ଚିନ୍ତାଧାରା ସହ ଫେରିବାର ସୁଯୋଗ ସେମାନଙ୍କୁ ମିଳିଥାଏ ।

ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, ସ୍କୁଲ୍‌ର ଚେୟାରପର୍ସନ ଡ ମୋନା ଲିସା ବଳ, ସ୍କୁଲ୍‌ର ଅଧ୍ୟକ୍ଷ ଡ ସଞ୍ଜୟ ସୁଆର ଏବଂ ଅନ୍ତର୍ଜାତୀୟ ପାଠ୍ୟକ୍ରମର ମୁଖ୍ୟ ମାର୍କ ଏଲ୍‌. କୋଲମ୍ୟାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ସାଇବର ଯୁଦ୍ଧ, ପରମାଣୁ ଅସ୍ତ୍ରର ବିରୋଧ, ପରିବେଶ-ଉନ୍ନତି, ଶରଣାର୍ଥୀ ସଙ୍କଟ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଶହେ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦେଶର ବିଭିନ୍ନ ବିଦ୍ୟାଳୟରୁ ୧ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମୋଟ ୧୩ଟି କମିଟି ଗଠନ କରାଯାଇଥିବା ବେଳେ ଶାନ୍ତି, ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍‌ନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.