
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସତ ଚେଷ୍ଟା ପରେ ମଧ୍ୟ ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡିପାରିନାହିଁ ପୂର୍ଣ୍ଣଚ୍ଛେଦ । ବାରମ୍ବାର ବୈଠକ ସତ୍ତ୍ବେ ସମାଧାନ ମିଳିପାରିନାହିଁ । ଏହାରି ମଧ୍ୟରେ ଜେଲେନସ୍କିଙ୍କ ଭାରତ ଗସ୍ତ ଖବରକୁ ତୀବ୍ର କରିଛି । ପୁଟିନ୍ ମଧ୍ୟ ଚଳିତ ବର୍ଷ ଭାରତ ଗସ୍ତ କରିବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ଉଭୟ ଦେଶକୁ ସମାଧାନର ରାସ୍ତା ଦିଲ୍ଲୀରୁ ମିଳିପାରିବ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି ।
ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ କହିଛନ୍ତି ଯେ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଖୁବ୍ ଶୀଘ୍ର ଭାରତ ଗସ୍ତ କରିପାରନ୍ତି । କିନ୍ତୁ ଗସ୍ତର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ବର୍ତ୍ତମାନ ତାରିଖ ସମ୍ପର୍କରେ ଆଲୋଚନା ଚାଲିଛି । ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ଗସ୍ତ କରି ଜେଲେନ୍ସକିଙ୍କୁ ଭେଟିଥିଲେ । ସେତେବେଳେ ସେ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ଜେଲେନସ୍କି ଭାରତ ଗସ୍ତ ନେଇ ତାରିଖ ଧାର୍ଯ୍ୟ ଚାଲିଥିବା ସମୟରେ ପୁଟିନ୍ ମଧ୍ୟ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭାରତର ସମ୍ପର୍କ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭଲ ରହିଛି । ଯାହା ଯୁଦ୍ଧ ବନ୍ଦ କରିବାର ଏକ ରାସ୍ତା ଦେଖାଇପାରିବ ।
ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ଉଭୟ ପକ୍ଷ ଏହା ଉପରେ କାମ କରୁଛନ୍ତି। ଆମେ ଆଶା କରୁଛୁ ଯେ ରାଷ୍ଟ୍ରପତି ଜେଲେନ୍ସକି ନିଶ୍ଚିତ ଭାବରେ ଭାରତ ଆସିବେ । ଏହା ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ବଡ଼ ସଫଳତା ହେବ । ବର୍ତ୍ତମାନ ଆମେ ସଠିକ୍ ତାରିଖ ସ୍ଥିର କରିବାକୁ ଚେଷ୍ଟା କରୁଛୁ’। ସେ କହିଥିଲେ ଯେ ଉଭୟ ଦେଶ ଏକାଠି ସଠିକ୍ ତାରିଖ ସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜେଲେନ୍ସକି ପୂର୍ବରୁ ଅନେକ ଥର ସାକ୍ଷାତ କରିଛନ୍ତି ।