
ଭୁବନେଶ୍ବର: ଅଗଷ୍ଟ ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସିଏମ୍-କିଷାନ ଯୋଜନାର କିସ୍ତି । ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି । ୨୮ ତାରିଖ ‘ନୂଆଁଖାଇ’ ପଡୁଥିବାରୁ ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଏହା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ତେବେ ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ ବୋଲି ସୂଚନା ରହିଛି । ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ ।
ସୂଚନାଯୋଗ୍ୟ, ଗତବର୍ଷ ‘ନୂଆଁଖାଇ’ ଅବସରରେ ରାଜ୍ୟ ସରକାର ସିଏମ୍-କିଷାନ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ । ଆଜି ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।