ସିଟ୍ ଭାଗବଣ୍ଟା… ଚିନ୍ତା ବଢାଇଲେ ଚିରାଗ

youtube

ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା ଚିରାଗଙ୍କୁ ଛାଡି ପାରୁଛନ୍ତି ନା ସାଙ୍ଗରେ ନେଇ ଚାଲି ପାରୁଛନ୍ତି। ନୀତିଶଙ୍କ ନେତୃତ୍ବାଧୀନ ଏନଡିଏରେ ବିଜେପି, ଜେଡିୟୁ ସହ ଚିରାଗ ପାଶଓ୍ବାନଙ୍କ ଏଲଜେପି, ଜୀତନ ରାମ ମାଞ୍ଝିଙ୍କ ହାମ୍ ଓ ଉପେନ୍ଦ୍ର କୁଶଓ୍ବାହଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ରହିଛି। ତେବେ ସିଟ୍ ଭାଗବଣ୍ଟା ଅଙ୍କ ଛିଣ୍ଡୁନି। ଚିରାଗ 40ଟି ସିଟ୍ ପାଇଁ ଦାବି କରି ଟେନସନ୍ ବଢାଇ ଦେଇଥିବା ଚର୍ଚ୍ଚା ହେଉଛି।

ଏନଡିଏରେ କେମିତି ହେବ ସିଟ୍ ସେୟାରିଂ ?

ବିହାର ବିଧାନସଭାରେ ରହିଛି ମୋଟ୍ 243 ସିଟ୍। ଯଦି ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ସିଟରେ ନିର୍ବାଚନ ଲଢନ୍ତି, ତେବେ ଉଭୟଙ୍କୁ ଶହେରୁ 105ଟି ସିଟ୍ ମିଳିପାରେ। ଏମିତି ହେଲେ ବାକି 33ରୁ 43 ସିଟ୍ ଏନଡିଏର ବାକି ତିନି ସହଯୋଗୀ ଦଳଙ୍କ ମଧ୍ୟରେ ବଣ୍ଟାଯିବ। ଏଭଳି ସ୍ଥିତିରେ ଚିରାଗ ପାଶଓ୍ବାନ 40ଟି ସିଟ ପାଇଁ ଅଡି ବସିଛନ୍ତି। ଚିରାଗଙ୍କୁ 20ରୁ 25ଟି ସିଟ୍ ଦେଇ ବାକି ସିଟ୍ ମାଞ୍ଝି ଓ କୁଶଓ୍ବାହଙ୍କୁ ଦେବାକୁ ଅଙ୍କ କଷା ଯାଇଛି। ମାଞ୍ଝିଙ୍କୁ 5ରୁ 7ଟି ସିଟ୍ ଓ କୁଶଓ୍ବାହଙ୍କ ଖାତାକୁ 2ରୁ 4ଟି ସିଟ୍ ଯାଇପାରେ। ହେଲେ ଚିରାଗଙ୍କ ଦାବି ଏନଡିଏର ଚିନ୍ତା ବଢାଇଛି।

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ବାପା ରାମବିଳାସ ପାଶଓ୍ବାନଙ୍କ ରାଜନୈତିକ ବିରାସତ ସମ୍ଭାଳୁଛନ୍ତି। 2020ରେ ମନ ମୁତାବକ ସିଟ୍ ନମିଳିବାରୁ ଏନଡିଏ ସହ ସଂପର୍କ କାଟି ଅଲଗା ନିର୍ବାଚନ ଲଢିଥିଲେ ଚିରାଗ। ସେତେବେଳେ 135ଟି ସିଟରେ ପ୍ରାର୍ଥୀ ଓହ୍ଲାଇଥିଲେ। ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ବିରୋଧରେ ପ୍ରାର୍ଥୀ ଦେଇନଥିଲେ ଚିରାଗ। ଏହି ରଣନୀତି ଯୋଗୁଁ କ୍ଷତି ସହିଥିଲେ ନୀତିଶ। ଜେଡିୟୁକୁ ମାତ୍ର 43ଟି ସିଟ୍ ମିଳିଥିବା ବେଳେ ବିଜେପି 74ଟି ସିଟ୍ ଜିତିଥିଲା। ଫଳରେ ବିହାରରେ ବଡ଼ଭାଇ ହୋଇଥିଲା ବିଜେପି।

ଚିରାଗଙ୍କ ରାଜନୈତିକ ଆଧାର

ବିହାରରେ ଏଲଜେପିର ପ୍ରାୟ 10 ପ୍ରତିଶତ ଭୋଟ୍ ସେୟାର ରହିଛି। ଦଳିତ ଓ ଅତିପଛୁଆ ବର୍ଗ ହେଉଛନ୍ତି ଚିରାଗଙ୍କ କୋର ଭୋଟର। 2025ରେ ନୀତିଶଙ୍କ ନେତୃତ୍ବରେ ଏନଡିଏ ନିର୍ବାଚନ ଲଢିବାକୁ ଯାଉଥିଲେ ମଧ୍ୟ ବିଜେପି ଜେଡିୟୁଠାରୁ କମ୍ ସିଟ ନେବନି। ତେଣୁ ଏଲଜେପି ଦାବି କରୁଥିବା 40 ସିଟ୍ ଦେବା ଏନଡିଏ ପାଇଁ ସମ୍ଭବ ହେବନି। ବିହାରରେ ଏଲଜେପିର 5ଜଣ ସାଂସଦ ରହିଥିବା ବେଳେ ସିଟ ସେୟାରିଂ ଫର୍ମୁଲା ଅନୁସାରେ ଦଳକୁ 20ଟି ବିଧାନସଭା ସିଟ ମିଳିବା କଥା। ତେବେ ଗତ ଲୋକସଭା ନିର୍ବାଚନରେ ଏଲଜେପିର ପ୍ରଦର୍ଶନ ଶତ ପ୍ରତିଶତ ରହିଖିବା ବେଳେ ଦଳକୁ 6ପ୍ରତିଶତ ଭୋଟ୍ ମିଳିଥିଲା। 5ଲୋକସଭାର 30 ବିଧାନସଭା ସିଟରେ ଭଲ ପ୍ରଦର୍ଶନ କରିଥିଲା ଏଲଜେପି। ତେଣୁ 40 ସିଟ୍ ମାଗୁଛି ଦଳ।

ବିଜେପି ଚାହୁଁନି, ଚିରାଗ ପାଶଓ୍ବାନ ଏନଡିଏରୁ ବାହାରି ଯାଇ ନିର୍ବାଚନ ଲଢନ୍ତୁ। ଏନଡିଏ ହାତ ଛାଡିଲେ ଚିରାଗ ମହାଗଠବନ୍ଧନକୁ ଯାଇନପାରନ୍ତି। ତେବେ ଯଦି ତାଙ୍କୁ ପ୍ରଶାନ୍ତ କିଶୋରଙ୍କ ଦଳର ସାଥ୍ ମିଳେ ତେବେ ପୂରା ଖେଳ ବଦଳିଯିବ। ଆଉ ଯଦି କାହା ସହ ହାତନମିଳାଇ ଏଲଜେପି ଏକାକୀ ନିର୍ବାଚନ ଲଢେ ତେବେ ଗତଥର ଭଳି ଭୋଟ୍ କାଟିପାରନ୍ତି। ତେଣୁ ଚିରାଗଙ୍କୁ ନେଇ ଦେଖିଚାହିଁ ରଣନୀତି କରୁଛି ଏନଡିଏ।

Leave A Reply

Your email address will not be published.