ମୋଦିଙ୍କ ମାଙ୍କ ପ୍ରତି ଅପଶବ୍ଦ ବ୍ୟବହାରକୁ ନେଇ ବିହାରରେ FIR, ନିଜଆଡୁ ସଂଜ୍ଞାନ ନେଲେ ମହିଳା ଆୟୋଗ

add-all

ପାଟନା ୨୯।୮: ଭୋଟ ଅଧିକାର ଯାତ୍ରା କାଳରେ କଂଗ୍ରେସ୍-ଆରଜେଡି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ନିମନ୍ତେ ଅପଶବ୍ଦ ପ୍ରୟୋଗ କରାଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କାର୍ଯ୍ୟକର୍ତ୍ତାଙ୍କୁ ମଞ୍ଚରେ ଛିଡା ହୋଇ ଅପଶବ୍ଦ ପ୍ରୟୋଗ କରୁଥିବା ଦେଖାଯାଉଛି। ଏବେ ଏହି ମାମଲାକୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଥିବା ବେଳେ ଅଭିଯୋଗ ରୁଜୁ ହେବା ଆରମ୍ଭ ହୋଇଯାଇଛି। 

ବିଜେପି ପ୍ରଦେଶ ମିଡିଆ ପ୍ରଭାରୀ ଦିନେଶ ଇକବାଲ ଓ ପାର୍ଟି କାର୍ଯ୍ୟକର୍ତ୍ତା କୃଷ୍ଣା ସିଂହ କଲ୍ଲୁ ପାଟନା କୌତୱାଲୀ ଓ ଗାନ୍ଧି ମୈଦାନ ଥାନାରେ ଶୁକ୍ରବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଅଲଗା ଅଲଗା ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ରାଲିର ମଧ୍ୟ ଆୟୋଜନ କରାଯାଇଥିଲା। ପିଏମ ମୋଦି ଓ ତାଙ୍କ ମାଙ୍କ ସନ୍ଦର୍ଭରେ କରାଯାଇଥିବା ଟିପ୍ପଣୀକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି। ବିଜେପି ନେତାମାନେ ଚେତାବନୀ ଦେଇଛନ୍ତି ଯେ ରାହୁଲ ଗାନ୍ଧିଙ୍କ ୧ ସେପ୍ଟେମ୍ବର ପଦଯାତ୍ରା ପାଟନାରେ ଆୟୋଜନ ହେବାକୁ ଦେବୁ ନାହିଁ। 

ଅପରପଟେ ମହିଳା ଆୟୋଗ ମାମଲାରେ ଜିଲ୍ଲା ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ. ଅପସରା କହିଛନ୍ତି ଯେ କୌଣସି ମହିଳାଙ୍କ ଅପମାନ ବରଦାସ୍ତ କରାଯାଇ ନପାରେ, ସେ ଯେଉଁ ପରିବାରରୁ ହୋଇଥାନ୍ତୁ ନା କାହିଁକି ଯେଉଁ ପଦବୀରେ ବି ଥାଆନ୍ତୁ ନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ। ମହିଳା ଆୟୋଗ କହିଛନ୍ତି ଯେ ନେତାମାନଙ୍କର ଏହା ଦାୟିତ୍ୱ ସେମାନଙ୍କ ରାଜନୈତିକ ମଞ୍ଚକୁ ମହିଳା ବିରୋଧୀ ବୟାନବାଜୀର ଆଖଡାରେ ପରିଣତ ନ କରନ୍ତୁ। ଆୟୋଗ ଚେତାବନୀ ଦେଇଛନ୍ତି ଯେ ଯଦି ଭବିଷ୍ୟତରେ ଏଭଳି ଘଟଣା ପୁଣି ଦୋହରା ଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। 

ଦରଭଙ୍ଗାରେ ଜନୈକ ସ୍ଥାନୀୟ କଂଗ୍ରେସ ନେତା ମହମ୍ମଦ ନୌସାଦଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରାଯାଇଛି। ଏହି ସଭା ରାହୁଲ ଓ ତେଜସ୍ୱୀଙ୍କ ଦରଭଙ୍ଗାରୁ ମୁଜଫରପୁର ଯାତ୍ରାର ଅଂଶବିଶେଷ ଥିଲା। ଏହି କାର୍ଯ୍ୟକ୍ରମରେ ରାହୁଲ ଓ ତେଜସ୍ୱୀ ଯୋଗ ମଧ୍ୟ ଦେଇଥିଲେ। ହେଲେ ଯେତେବେଳେ ମଞ୍ଚରୁ ଏହି ଟିପ୍ପଣୀ କରାଗଲା ସେତେବେଳେ ରାହୁଲ ଓ ତେଜସ୍ୱୀ ସେଠାରୁ ଯାଇ ସାରିଥିଲେ।  

ad-week
Leave A Reply

Your email address will not be published.