
ଭୁବନେଶ୍ଵର : ମହାନଦୀ ଜଳ ଆବଣ୍ଟନକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଏକ ସକାରାତ୍ମକ ଖବର ଆସିଛି। ଦୀର୍ଘ ଦଶନ୍ଧିର ଏହି ଆନ୍ତଃ ନଦୀଜଳ ଆବଣ୍ଟନ ସମସ୍ୟାର ସମାଧାନ ଲାଗି ଆଶା ସଞ୍ଚାର ହୋଇଛି। ଶନିବାର ଉଭୟ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ନୂଆଦିଲ୍ଲୀରେ ଏନେଇ ବୈଠକ କରିଛନ୍ତି। ଦ୍ବିପାକ୍ଷିକ ବୈଠକ ଓ ଆପୋସ ଆଲୋଚନା ଜରିଆରେ ସମାଧାନ ଲାଗି ଉଭୟ ପକ୍ଷ ଆଗେଇବା ଏକ ଉତ୍ତମ ସଙ୍କେତ ଦେଉଛି। ଦୁଇ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ସଚିବମାନେ ମଧ୍ୟ ଏହି ବୈଠକରେ ଯୋଗଦେବା ନିଶ୍ଚିତ ରୂପେ ଗୁରୁତ୍ବପୂର୍ଣ୍ଣ। ଏହା ସମାଧାନର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ। କେଉଁ କେଉଁ ପ୍ରସଙ୍ଗରେ ଦ୍ବନ୍ଦ୍ବ ରହିଛି, ମୌସୁମି ଓ ଅଣମୌସୁମି ସମୟରେ ଉଭୟ ରାଜ୍ୟ କେତେ ପରିମାଣର ଜଳ ପରସ୍ପର ଆବଣ୍ଟନ କରିବେ, କେଉଁ ରାଜ୍ୟର କେତେ ଜଳ ପ୍ଲାବିତ ଅଞ୍ଚଳ ତଥା କ୍ୟାଚ୍ମେଣ୍ଟ ଏରିଆ ରହିଛି, ବାସ୍ତବରେ କାହାକୁ କେତେ ପାଣି ଲୋଡ଼ା, ଜଳ ବଣ୍ଟନରେ ପାରସ୍ପରିକ ସହଯୋଗ ଓ ସମନ୍ବୟ, ଉପର ଓ ତଳ ମୁଣ୍ଡରେ ଥିବା ନଦୀ ବନ୍ଧ ପରିଚାଳନା ଆଦି ଏସମସ୍ତ ତଥ୍ୟର ଆକଳନ କରିବେ। ଏହାର ସମାଧାନ ସୂତ୍ର ସହ ପରସ୍ପର ସମ୍ମତି ଓ ସହାୟତାଭିତ୍ତିରେ ଏନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ। ଫଳରେ ବିଳମ୍ବିତ ତଥା ବିଡ଼ମ୍ବିତ ବିବାଦର ସହଜ, ସରଳ ଓ ଆପୋସ ନିରାକରଣ ହୋଇପାରିବ।
ଏଭଳି ସୂଚନା ମଧ୍ୟ ଆସିଛି ଯେ, ଆସନ୍ତା ଡିସେମ୍ବର ଆଡ଼କୁ ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବିପାକ୍ଷିକ ବୈଠକ ହେବ। ଏଥିରେ ଦୁଇ ପକ୍ଷଙ୍କ ପ୍ରସ୍ତୁତ ଚିଠା ସମାଧାନ ଉପରେ ସଘନ ଆଲୋଚନା ହୋଇ କୌଣସି ସମାଧାନର ସୂତ୍ର ବାହାରିପାରେ। ଏଭଳି ଦୃଢ ଆଶା ପଛର କାରଣ ହେଲା- କେନ୍ଦ୍ର ଓ ଉଭୟ ରାଜ୍ୟରେ ଏବେ ଭାରତୀୟ ଜନତା ପାର୍ଟିର ଟ୍ରିପଲ ଇଞ୍ଜିନ୍ ସରକାର। ତେଣୁ ସମାଧାନ ଆଶା ବଢିବା ଓ ନିଷ୍ପତ୍ତି ନେଇ ଗତି ତ୍ବରାନ୍ବିତ ହେବ ବୋଲି ଭରସିବା ସ୍ବାଭାବିକ।
କାରଣ ମହାନଦୀକୁ ନେଇ ଆମେ ଦଶନ୍ଧି ଦଶନ୍ଧି ଧରି ଅଦାଲତରେ ଆଇନଗତ ଲଢେଇ ଲଢୁଛେ। ମହାନଦୀ ପ୍ରାଧିକରଣରେ ମଧ୍ୟ ଦଲିଲ ଓ ଦସ୍ତାବିଜ୍ ଦାଖଲ କରି ପକ୍ଷ ରଖିଛେ। କିନ୍ତୁ ଏହା ଭିତରେ ସମାଧାନ ଆସିପାରିନି। ଏହା ପଛର କାରଣ ରାଜନୈତିକ ଇଚ୍ଛାଶକ୍ତିର ଅଭାବ। ଉଭୟ ରାଜ୍ୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳର ସରକାର ରହିବା, କେନ୍ଦ୍ର ସରକାରଙ୍କ ସମନ୍ବୟ ଓ ତତ୍ପରତା ଅଭାବ ହୁଏତ ଏହାକୁ ତୁଟାଇ ପାରିନି। ଫଳରେ ବିବାଦ ପୁରୁଣା ଓ ଗୋଳିଆ ହୋଇପଡିଛି। ଏବେ ଯେହେତୁ ତିନିଟି ମୁଖ୍ୟ ବିନ୍ଦୁରେ ବିଜେପି ସରକାର ରହିଛି, ତେଣୁ ମହାନଦୀ ଜଳ ବିବାଦ ସମାଧାନ ଆଶା ଉଜ୍ଜ୍ବଳିବା ସ୍ବାଭାବିକ।
ଏମିତି ବି ନଦୀ ଜଳ ଆବଣ୍ଟନ ନେଇ ଭାରତରେ ବିବାଦ କିଛି କମ୍ ନାହିଁ। ଏବେ ବି କାବେରୀ ଜଳ ବିବାଦର ସମାଧାନ ସତ୍ତ୍ବେ ଜଳ ଆବଣ୍ଟନ ନେଇ କର୍ଣ୍ଣାଟକ ଓ ତାମିଲନାଡୁରେ ଫି ବର୍ଷ କିଛି ନା କିଛି ଚାଷୀ ଆନ୍ଦୋଳନ ଓ ସମସ୍ୟା ଦେଖିବାକୁ ମିଳୁଛି। ତଥାପି ସ୍ଥିତି ଅନେକ ବଦଳିଛି। ତେଣୁ ଆଇନଗତ ଭାବେ କୌଣସି ରାୟ ରାଜ୍ୟଙ୍କ ଉପରେ ଥୋପିବା ଅପେକ୍ଷା ଅଦାଲତ ବାହାରେ ଆପୋସ ଆଲୋଚନାରେ ସମାଧାନ କରିବା ମହାନଦୀ କ୍ଷେତ୍ରରେ ଅଧିକ ଫଳପ୍ରଦ ହେବ। ଆପୋସରେ ସମାଧାନ ଅଧିକ ଦୀର୍ଘସ୍ଥାୟୀ, ବିଶ୍ବାସ ଓ ଭରସାଯୋଗ୍ୟ ରହିଥାଏ। ଏଥିରେ ପ୍ରତାରଣା ଅପେକ୍ଷା ପ୍ରତିବଦ୍ଧତା ଅଧିକ ରୁହେ।
ନଦୀ ଜୀବନ ପ୍ରଦାୟିନୀ। ପ୍ରତିଟି ଭାରତୀୟ ନଦୀକୁ ମାଆ ସମ୍ବୋଧନ କରେ। ଗଙ୍ଗାରୁ ଗୋଦାବରୀ, କୃଷ୍ଣା-କାବେରୀ, ସିନ୍ଧୁରୁ ସତ୍ଲେଜ୍, ଏପରିକି ମହାନଦୀ ପର୍ଯ୍ୟନ୍ତ ସମସ୍ତ ନଦୀ ଭାରତକୁ କେବଳ ଶସ୍ୟଶ୍ୟାମଳା କରିନି; ବରଂ ଏହାର ପ୍ରତିଟି ବୁନ୍ଦା ଜୀବଜଗତକୁ ଜୀବନଦାନ କରୁଛି। ସେଥିପାଇଁ ନଦୀକୂଳରେ କେତେ ଯେ ସମୃଦ୍ଧ ଓ ବିକଶିତ ସଭ୍ୟତା ଗଢି ଉଠିଛି, ଇତିହାସ ତା’ର ସାକ୍ଷୀ। ସେହି ଦୃଷ୍ଟିରୁ ଓଡ଼ିଶାର ବୃହତ୍ ନଦୀ ମହାନଦୀର ଗୁରୁତ୍ବ କଳି ହୁଏନା। ଅବିଭକ୍ତ ମଧ୍ୟପ୍ରଦେଶର ଅମରକଣ୍ଟକରୁ ପ୍ରବାହିତ ମହାନଦୀ ଛତିଶଗଡ଼ ଓ ଓଡ଼ିଶା ପାଇଁ ପାଲଟିଛି ଜୀବନରେଖା। ମାତ୍ର ଛତିଶଗଡ଼ ଉପର ମୁଣ୍ଡରେ ଏକାଧିକ ନଦୀବନ୍ଧ ନିର୍ମାଣ କରି ଏହାର ପାଣିକୁ ଅଟକାଇବା ଦ୍ବାରା ଓଡ଼ିଶା ନିଶ୍ଚିତ ରୂପେ ପ୍ରଭାବିତ ହୋଇଛି। ମାତ୍ର ଓଡ଼ିଶା ହୀରାକୁଦ ପରେ ଆଉ ସେଭଳି କୌଣସି ନଦୀ ବନ୍ଧ ଯୋଜନା ନ କରିବା କାରଣରୁ ମୌସୁମି ସମୟରେ ମଧ୍ୟ ପ୍ରଚୁର ପାଣି ସମୁଦ୍ରକୁ ଅକାରଣେ ବହିଯାଉଛି। ରାଜ୍ୟ ସରକାର ଏଥିପ୍ରତି ମଧ୍ୟ ପଦକ୍ଷେପ ନେବା ଜରୁରୀ ମନେହୁଏ।