ପାନ୍ କାର୍ଡରେ ଜାଲିଆତି, ଗ୍ରୋସରୀ ଦୋକାନ ମାଲିକଙ୍କୁ ୧୪୧ କୋଟି ଟଙ୍କାର ଟ୍ୟାକ୍ସ

add-all

୧୪୧ କୋଟି ଟଙ୍କାର ଟ୍ୟାକ୍ସ । ସେ ପୁଣି କୌଣସି ସରକାରୀ କର୍ମଚାରୀ କି ବିଜନେସ୍ ମ୍ୟାନ୍ ନୁହେଁ ଜଣେ ଗ୍ରୋସରୀ ଦୋକାନ ମାଲିକଙ୍କୁ ଆସିଛି ୧୪୧ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ । ଉତ୍ତର ପ୍ରଦେଶର ବୁଲନ୍ଦସହରର ଏକ ଛୋଟ ଗ୍ରୋସରୀ ଦୋକାନର ମାଲିକଙ୍କୁ ଏଭଳି ସରକାରୀ ନୋଟିସ୍ ମିଳିବା ପରେ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀରେ ଛଅଟି କମ୍ପାନୀ ସ୍ଥାପନ କରିବା ପାଇଁ ତାଙ୍କ ପାନ କାର୍ଡର ଅପବ୍ୟବହାର କରାଯାଇଛି । ଏହି କାରଣରୁ ତାଙ୍କୁ ଏପରି ନୋଟିସ୍ ମିଳିଛି ।

ଖୁର୍ଜାର ନୟାଗଞ୍ଜ ଅଞ୍ଚଳରେ ରହୁଥିବା ସୁଧୀରଙ୍କ କହିବା ଅନୁସାରେ ସେ ତାଙ୍କ ଘରେ ଏକ ଛୋଟ ଗ୍ରୋସରୀ ଦୋକାନ ଚଳାଉଛନ୍ତି । ସେ ଦାବି କରିଛନ୍ତି ଯେ ତାଙ୍କୁ ପ୍ରଥମେ ୨୦୨୨ ମସିହାରେ ଏକ ନୋଟିସ୍ ଆସିଥିଲା । ସୁଧୀର କହିଛନ୍ତି ଚଳିତ ବର୍ଷ ଜୁଲାଇ ୧୦ ତାରିଖରେ, ସେ ଆଉ ଏକ ନୋଟିସ୍ ପାଇଥିଲେ ଯେଉଁଥିରେ ସେ ୧୪୧,୩୮,୪୭,୧୨୬ ଟଙ୍କାର ଜିନିଷ ବିକିଥିବା ନେଇ ଏକ ରିପୋର୍ଟ ଆସିଥିଲା, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।’ ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀରେ ଅନେକ କମ୍ପାନୀ ସ୍ଥାପନ କରିବା ପାଇଁ ତାଙ୍କ ପାନ କାର୍ଡ ବ୍ୟବହାର କରାଯାଇଛି ।

ଖୁର୍ଜା ଥାନା ଅଧିକାରୀ ପଙ୍କଜ ରାୟ କହିଛନ୍ତି ଯେ ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି । ଅଧିକାରୀମାନେ କହିଛନ୍ତି ଯେ ସୁଧୀରଙ୍କ ପାନ କାର୍ଡର ଅପବ୍ୟବହାର କରାଯାଇଛି । କିଛି ଠକ ନୀରିହ ଲୋକଙ୍କ ପାନ୍ କାର୍ଡ ବ୍ୟବହାର କରି  ବେଆଇନ ଭାବରେ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତି, ନକଲି କମ୍ପାନୀ ତିଆରି କରନ୍ତି, ଋଣ ପାଇବା କିମ୍ବା ଟିକସ ଫାଙ୍କିବା ପାଇଁ ମଧ୍ୟ ବ୍ୟବହାର କରନ୍ତି । ସମାନ ଭାବେ ସୁଧୀରଙ୍କ ପାନ୍ କାର୍ଡର ଅପବ୍ୟବହାର କରାଯାଇ କିଛି ଠକ କମ୍ପାନୀ ଖୋଲିଛନ୍ତି, ଯେଉଁଥିପାଇଁ ସୁଧୀରଙ୍କୁ ଏତେ ଟଙ୍କାର ଟ୍ୟାକ୍ସ ନୋଟିସ ଆସିଛି । ଘଟଣାର ତଦନ୍ତ କରାଯାଉଛି, ଖୁବଶୀଘ୍ର ଦୋଷୀଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ad-week
Leave A Reply

Your email address will not be published.