ବାଘ ପାଦଚିହ୍ନକୁ ନେଇ ଆତଙ୍କରେ ଗ୍ରାମବାସୀ : ସତର୍କ ସୂଚନା ଜାରିକଲା ବନବିଭାଗ

youtube

ବଣାଇଗଡ଼ : ବଣାଇ ରେଞ୍ଜ ଧରଣୀଧରପାଲି ସେକ୍ସନ ଅନ୍ତର୍ଗତ ଘୋଷରା ଗ୍ରାମ ନିକଟରେ ଥିବା ପତ୍ରାପାଲି ଜଙ୍ଗଲ ନିକଟରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛିଲୋକ ଏହାକୁ ମହାବଳ ବାଘର ପାଦଚିହ୍ନ ବୋଲି କହିବା ପରେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଜଙ୍ଗଲରେ ପହଞ୍ଚି ପାଦଚି଼ହ୍ନର ଯାଞ୍ଚ କରିଥିଲେ। ବିଶେଷଜ୍ଞଙ୍କ ଯାଞ୍ଚ ପରେ ପାଦଚି଼ହ୍ନ କେଉଁ ବାଘର ତାହା ସ୍ପଷ୍ଟହେବ। ଅନ୍ୟପକ୍ଷରେ ବଣାଇ ଫରେଷ୍ଟ ଡିଭିଜନର ସୋଲ୍ ରେଞ୍ଜ ଅଞ୍ଚଳରେ କିଛିଦିନ ତଳେ ଏକ ମହାବଳ ବାଘ ବୁଲୁଥିବା କ୍ୟାମେରାରେ କଏଦ ହୋଇଥିଲା। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କାଳେ ସେହି ମହାବଳବାଘଟି ଏପଟେ ପଳାଇ ଆସିଥାଇପାରେ କିଂବା ଏହା ଆଉ କେଉଁ ବାଘର ପାଦଚିହ୍ନ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ଏପଟେ ପାଦଚିହ୍ନକୁ ନେଇ ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସୂଚନା ଦିଆଯାଇଛି। ବନବିଭାଗ କର୍ମଚାରୀମାନେ ଏବେ ପାଟ୍ରୋଲିଂ କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏ ବାବଦରେ ବନବିଭାଗ ରେଞ୍ଜ ଅଧିକାରୀ ଦେବାଶିଷ ନାୟକଙ୍କୁ ପଚାରିବା ପରେ ‘ଆମେ ଯାଞ୍ଚ୍ ଜାରି ରଖିଛୁ; ତାହା କଲରାପତରିଆ ନା ମହାବଳ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା’ କହିଛନ୍ତି।

Leave A Reply

Your email address will not be published.