‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

youtube

ନୂଆଦିଲ୍ଲୀ : ଭାରତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ବଡ ଉପଲବ୍ଧି ହାସଲ କରିଛି। ମଙ୍ଗଳବାର (ସେପ୍ଟେମ୍ବର ୨)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କରିଛନ୍ତି। ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ଏହି ଚିପ୍‌ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ବିକ୍ରମ ୩୨-ବିଟ୍‌ ପ୍ରୋସେସର୍‌ ଏବଂ ଅନ୍ୟ ୪ଟି ଅନୁମୋଦିତ ପ୍ରକଳ୍ପର ପରୀକ୍ଷା ଚିପ୍‌ ମଧ୍ୟ ପ୍ରଦାନ କରିଛନ୍ତି । ଏହା ଇସ୍ରୋର ସେମିକଣ୍ଡକ୍ଟର ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତେଲକୁ କଳା ସୁନା କୁହାଯାଏ, ସେହିପରି ସେମିକଣ୍ଡକ୍ଟର ଚିପ୍ସ ହେଉଛି ଡିଜିଟାଲ୍ ହୀରା। ୨୧ ଶତାବ୍ଦୀର ପ୍ରଗତି ଏହି ଚିପ୍ସ ଉପରେ ଆଧାରିତ। ଆଗାମୀ ସମୟରେ ଏକ ଛୋଟ ଚିପ୍ ବହୁତ ପ୍ରଗତି ଏବଂ ନବସୃଜନ ଆଣିବ। ଏହି ବିପ୍ଳବରେ ଭାରତ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି।

ଏହି ଅବସରରେ ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଚିନ୍ତାଧାରା ସହ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ ଆରମ୍ଭ ହୋଇଥିଲା । ମାତ୍ର ସାଢେ ୩ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଆଜି ଭାରତରେ ପାଞ୍ଚଟି ସେମିକଣ୍ଡକ୍ଟର ୟୁନିଟ୍ ଉପରେ କାମ ଦ୍ରୁତ ଗତିରେ ଚାଲିଛି। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ହସ୍ତାନ୍ତର କରିବା ଏହି ଯାତ୍ରାରେ ଏକ ବଡ଼ ସଫଳତା ଏବଂ ଆଗାମୀ ସମୟରେ ଭାରତ ଏହି କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ।

ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି, ଯାହା ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ୪୮ ରୁ ଅଧିକ ଦେଶରୁ ପ୍ରାୟ ୨,୫୦୦ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।

Leave A Reply

Your email address will not be published.