ଭାରତକୁ ପୁଣି ଟ୍ରମ୍ପଙ୍କ ଟାର୍ଗେଟ, ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ, କହିଲେ ଟ୍ରମ୍ପ

youtube

ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ । ଟାରିଫକୁ ନେଇ ପୁଣି ଟ୍ରମ୍ପଙ୍କ ଟାର୍ଗେଟ । ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପରେ ଅସନ୍ତୋଷ ଝାଡିଛନ୍ତି ଟ୍ରମ୍ପ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଭାରତର ଉଚ୍ଚ ଶୁଳ୍କ ହାର ଯୋଗୁଁ ଆମେରିକୀୟ ବ୍ୟବସାୟୀମାନେ ଭାରତୀୟ ବଜାରରେ ପ୍ରବେଶ କରିବାରେ ଅସମର୍ଥ ହୋଇଛନ୍ତି, ଯାହା ଦ୍ୱାରା ଆମେରିକା ଭାରତ ସହିତ ଖୁବ୍ କମ୍ ବ୍ୟବସାୟ କରୁଛି ।

କିନ୍ତୁ ଭାରତ ଆମେରିକାକୁ ପ୍ରଚୁର ପରିମାଣରେ ପଣ୍ୟ ରପ୍ତାନି କରୁଛି । ଭାରତର ଶୁଳ୍କ ହାର ବିଶ୍ୱରେ ସର୍ବାଧିକ। ଫଳରେ ଆମେରିକୀୟ କମ୍ପାନୀଗୁଡ଼ିକୁ ଭାରତରେ ପଣ୍ୟ ବିକ୍ରି କରିପାରନ୍ତି ନାହିଁ । ଦୀର୍ଘବର୍ଷ ଧରି ଏହି ଅସନ୍ତୁଳିତ ବାଣିଜ୍ୟ ଜାରି ରହିଛି । ସେହିପରି ଭାରତ ଋଷ ଠାରୁ ତୈଳ ଓ ସାମରିକ ଉପକରଣ କିଣେ । ଏଥିପାଇଁ ଆମେରିକା ଭାରତୀୟ ପଣ୍ୟ ଉପରେ ୫୦% ଶୁଳ୍କ ଲାଗୁ କରିଛି । ଏଥିରେ ଋଷ ଠାରୁ ତେଲ କିଣିବା ଯୋଗୁଁ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ ଅଛି । ଏବେ ଭାରତ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି । କିନ୍ତୁ ଏଥିପାଇଁ ବହୁତ ବିଳମ୍ବ ହୋଇଗଲାଣି ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ଭାରତ ଏହି ଶୁଳ୍କକୁ “ଅନ୍ୟାୟପୂର୍ଣ୍ଣ” ବୋଲି କହିବା ସହ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି ।

Leave A Reply

Your email address will not be published.