
କ୍ବେଟା : ପାକିସ୍ତାନର କ୍ବୋଟାରେ ବଲୁଚ ନ୍ୟାସନାଲ ପାର୍ଟିର ରାଲିରେ ବଡ଼ ବିସ୍ଫୋରଣ । ଏଥିରେ ୨୫ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ନିକଟସ୍ଥ ହସପିଟାଲରେ କରାଯାଉଛି । ଆହତଙ୍କ ମଧ୍ୟରେ ପୂର୍ବ ସାଂସଦ ଅହମଦ ନୱାଜ ଏବଂ ପାର୍ଟି ନେତା ମୁସା ବଲୁଚ ମଧ୍ୟ ସାମିଲ ରହିଛନ୍ତି ।
ଖବର ମୁତାବକ, ଶାହୱାନି ଷ୍ଟାଡିୟମ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମାପ୍ତ ହେବାର କିଛି ସମୟ ପରେ ବିସ୍ଫୋରଣ ଘଟିଥିଲା । ଏ ନେଇ ବେଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୃତ ଏବଂ ଆହତଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଛନ୍ତି । BNP ନେତା ଅଖତର ମେଙ୍ଗଲ ଏବଂ ତାଙ୍କ ଗାଡି ଉପରକୁ ଟାର୍ଗେଟ କରାଯାଇଥିଲା । ଆକ୍ରମଣରେ ପରେ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ।
ଅଖତର ମେଙ୍ଗଲଙ୍କ କାଫିଲା ଘଟଣାସ୍ଥଳ ଅତିକ୍ରମ କରିବାର କିଛି ସମୟ ପରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୫ ଜଣ ଦଳୀୟ ସଦସ୍ୟଙ୍କ ମୃତ୍ୟୁ ହୋଇଛି । କର୍ତ୍ତୃପକ୍ଷ ଏବେ ବିସ୍ଫୋରଣର ତଦନ୍ତ କରୁଛନ୍ତି । ଅଖତର ମେଙ୍ଗଲ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, “ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ଆଲ୍ଲାହୁ ଆକବର, ମୁଁ ସୁରକ୍ଷିତ ଅଛି, କିନ୍ତୁ ଆମର କର୍ମୀଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ । ପ୍ରାୟ ୧୫ରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ବଳିଦାନକୁ କେବେ ଭୁଲି ହେବ ନାହିଁ । ଆଲ୍ଲା ସେମାନଙ୍କୁ ଶାନ୍ତି ମିଳୁ ଏବଂ ସେମାନଙ୍କ ପରିବାରକୁ ଧେର୍ଯ୍ୟ ଦିଅନ୍ତୁ। ଏହା ମୋ ଉପରେ ଋଣ ରହିଲା ଏବଂ ମୁଁ ଏହାକୁ ଦାୟିତ୍ୱର ସହ ପୂରଣ କରିବି।”
ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ଏହି ଆକ୍ରମଣର ଘଟଣାକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ଆହତମାନଙ୍କ ପାଇଁ ତୁରନ୍ତ ଚିକିତ୍ସା ଯୋଗାଇବା ସହ ମାମଲାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆକ୍ରମଣର ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।