ଭାରତ-ରୁଷର ବନ୍ଧୁତା ଦେଖି ଇର୍ଷାରେ ଜଳିଲେ ଶହବାଜ୍, ପୁଟିନଙ୍କୁ କହିଲେ, “ଆମେ ମଧ୍ୟ ଦୃଢ଼ ସମ୍ପର୍କ ଚାହୁଁଛୁ”

youtube

ନୂଆଦିଲ୍ଲୀ: ଚୀନରେ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବେ ନରମିଛନ୍ତି । ରୁଷ ସହ ବି ନିଜର ସଂପର୍କକୁ ଭାରତ ଭଳି କରିବାକୁ ବନ ବଳାଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ ଯେ ପାକିସ୍ତାନ ମଧ୍ୟ ରୁଷ ସହିତ ଦୃଢ଼ ସମ୍ପର୍କ ଚାହୁଁଛି। ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି SCO ସମ୍ମିଳନୀରେ ଯୋଗଦେବା ପାଇଁ ଚୀନରେ ଉପସ୍ଥିତ ଥିଲେ।

ଆଉ ମିଟିଂ ସମୟରେ ଶହବାଜ ସରିଫ ପୁଟିନଙ୍କୁ କହିଥିଲେ, ଭାରତ ସହିତ ତୁମର ସମ୍ପର୍କକୁ ସମ୍ମାନ କରାଯାଏ କିନ୍ତୁ ଆମେ ରୁଷ ସହିତ ମଧ୍ୟ ଦୃଢ଼ ସମ୍ପର୍କ ଚାହୁଁ । ସରିଫ କହିଛନ୍ତି, ମୁଁ କହିବାକୁ ଚାହୁଁଛି ଯେ ଆମେ ଭାରତ ସହିତ ତୁମର ସମ୍ପର୍କକୁ ସମ୍ମାନ କରୁ। ଏହା ସମ୍ପୂର୍ଣ୍ଣ ଠିକ୍। କିନ୍ତୁ ଆମେ (ରୁଷ ସହିତ) ବହୁତ ଦୃଢ଼ ସମ୍ପର୍କ ମଧ୍ୟ ଗଠନ କରିବାକୁ ଚାହୁଁଛୁ ଏବଂ ଏହି ସମ୍ପର୍କଗୁଡ଼ିକ ଅଞ୍ଚଳର କଲ୍ୟାଣ, ପ୍ରଗତି ଏବଂ ସମୃଦ୍ଧି ପାଇଁ ପରିପୂରକ ହେବ । ସରିଫ ପୁଟିନଙ୍କୁ କହିଥିଲେ, ଗତ କିଛି ବର୍ଷ ଧରି ଆମର ସମ୍ପର୍କରେ ସ୍ଥିର ଉନ୍ନତି ଆସିଛି। ଅନେକ କ୍ଷେତ୍ରରେ ଆପଣଙ୍କ ପ୍ରତିବଦ୍ଧତା ଏବଂ ଆଗ୍ରହ ପାଇଁ ଧନ୍ୟବାଦ। ମୁଁ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ନିର୍ଣ୍ଣାୟକ ଭାବରେ ମଜବୁତ କରିବାକୁ ଚାହୁଁଛି ।

ରୁଷର ସରକାରୀ ଖବର ସଂସ୍ଥା TASS ଅନୁଯାୟୀ, ଶହବାଜ ସରିଫ ଜୋର ଦେଇଛନ୍ତି ଯେ ପୁଟିନ ଜଣେ ଅତ୍ୟନ୍ତ ଗତିଶୀଳ ନେତା ଏବଂ ବର୍ତ୍ତମାନ ରୁଷ ଏବଂ ପାକିସ୍ତାନ ସଠିକ ଦିଗରେ ଆଗକୁ ବଢ଼ୁଛନ୍ତି। ସରକାରୀ ରେଡିଓ ପାକିସ୍ତାନର ରିପୋର୍ଟ ଅନୁଯାୟୀ, ସରିଫ କହିଛନ୍ତି ଯେ ପାକିସ୍ତାନ ବାଣିଜ୍ୟ ସମ୍ପର୍କ, ଶକ୍ତି, କୃଷି, ନିବେଶ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତ୍ତା, ଶିକ୍ଷା, ସଂସ୍କୃତି ଏବଂ ଲୋକ-ଲୋକ ଆଦାନପ୍ରଦାନ କ୍ଷେତ୍ରରେ ରୁଷ ସହିତ ସମ୍ପର୍କ ବିସ୍ତାର କରିବାକୁ ଆଗ୍ରହୀ । ଦକ୍ଷିଣ ଏସିଆ, ଆଫଗାନିସ୍ତାନ, ମଧ୍ୟପ୍ରାଚ୍ୟ ଏବଂ ୟୁକ୍ରେନ ବିବାଦର ପରିସ୍ଥିତି ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି। ରେଡିଓ ପାକିସ୍ତାନ ରିପୋର୍ଟ ଅନୁଯାୟୀ, ସେମାନେ ବହୁପାକ୍ଷିକ ଫୋରମରେ ଚାଲିଥିବା ସହଯୋଗ ସହିତ ପାଲେଷ୍ଟାଇନ ଏବଂ କାଶ୍ମୀର ଭଳି ଦୀର୍ଘକାଳୀନ ବିଶ୍ୱ ସମସ୍ୟା ଏବଂ ବିବାଦ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି।

ଏହା ବ୍ୟତୀତ, ସରିଫ ନଭେମ୍ବରରେ ରୁଷ ଗସ୍ତ କରିବା ଏବଂ ସରକାର ମୁଖ୍ୟଙ୍କ ପାଇଁ ସାଂଘାଇ ସହଯୋଗ ସଂଗଠନ (SCO) କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁଟିନଙ୍କ ନିମନ୍ତ୍ରଣକୁ ମଧ୍ୟ ଗ୍ରହଣ କରିଛନ୍ତି। ମୁଁ ରୁଷ ଆସିବାକୁ ବହୁତ ଖୁସି ହେବି ବୋଲି ମଧ୍ୟ ନିଜ ଆଡୁ ପ୍ରସ୍ତାବ ଦେଇଛନ୍ତି ସରିଫ୍ ।

Leave A Reply

Your email address will not be published.