ମାଉସୀ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

youtube

କାକଟପୁର: ସୁଦୂର ବମ୍ବେରୁ ଆସିଥିଲେ ମାଉସୀ ଘରକୁ । ହେଲେ ସକାଳୁ ସକାଳୁ ମାଉସୀ ଘରୁ ମିଳିଲା ପୁତୁରାର ମୃତଦେହ । ଆଉ କ୍ଷଣକରେ ଏକଥା ଚାରିଆଡେ ପ୍ରଚାର ହୋଇଗଲା । ଯାହାପରେ ପୁଅର ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । କାରଣ ପୁଅ କୁଆଡେ ଘରେ ନ ଜଣାଇ ବମ୍ବେରୁ ସିଧା ମାଉସୀ ଘରକୁ ଆସିଥିଲା । ଯେଉଁଥିପାଇଁ ଏବେ ସସପେନ୍ସ ଭିତରେ ଯୁବକଙ୍କ ମୃତ୍ୟୁ । ଅସ୍ତରଙ୍ଗ ଥାନା ଅନ୍ତର୍ଗତ ସାନସିରେଇ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମାଉସି ଘରେ ପୁତୁରାର ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।

ଘଟଣା ଅନୁଯାଇ ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗ୍ରାମର ହରିହର ପ୍ରଧାନଙ୍କ ଏକମାତ୍ର ପୁଅ ବୁଦ୍ଧେଶ୍ବର ପ୍ରଧାନ । ଦୀର୍ଘ ଦିନ ଧରି ସେ ବମ୍ବେରେ ଦାଦନ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ହଠାତ୍ ବୁଦ୍ଧେଶ୍ବର ନିଜ ଘରେ କାହାକୁ କିଛି ନ ଜଣାଇ ନିଜ ମାଉସୀ ଘର ସାନସିରେଇ ଗାଁକୁ ଆସିଥିଲେ । କିନ୍ତୁ ପରଦିନ ସକାଳୁ ମାଉସୀ ଘର ବାଡ଼ି ପଛପଟୁ ସନ୍ଦେହଜନକ ଭାବେ ଦେଖିବାକୁ ମିଳିଥିଲା ବୁଦ୍ଧେଶ୍ବରଙ୍କ ମୃତଦେହ । ଯାହାକୁ ନେଇ ପରିବାର ଲୋକେ ଅସ୍ତରଙ୍ଗ ଥାନାରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବୁଦ୍ଧେଶ୍ବରଙ୍କ ମୃତ୍ୟୁ କିପରି ହେଲା? କେହି ତାଙ୍କୁ ହତ୍ୟା କରିଛନ୍ତି ନା ଆଉ କିଛି ଅଘଟଣ ଘଟିଛି । କଣ ବୁଦ୍ଧେଶ୍ବରଙ୍କୁ ହତ୍ୟା କରି ଘଟଣାକୁ ଭିନ୍ନ ରୂପ ଦିଆଯାଉଛି କି? ବୁଦ୍ଧେଶ୍ବର କାହିଁକି ନିଜ ଘର ଲୋକଙ୍କୁ ନ ଜଣାଇ ସୁଦୂର ବମ୍ବେରୁ ସିଧା ମାଉସୀ ଘରକୁ ଆସିଥିଲେ? ତେଣୁ ଏବେ ସସପେନ୍ସ ଭିତରେ ରହିଛି ବୁଦ୍ଧେଶ୍ବରଙ୍କ ମୃତ୍ୟୁ । ତେବେ ବର୍ତ୍ତମାନ ପୋଲିସ୍ ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏପଟେ ପୁଅର ଏଭଳି ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ।

Leave A Reply

Your email address will not be published.