
ବାସୁଦେବପୁର : ଗୁରୁଦିବସ ପୂଜା ଚାଲିଥିବା ବେଳେ ଛାତରୁ ଖସିଲା ପ୍ଲାଷ୍ଟର । ୩ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଂଚାୟତ ବହୁମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଘଟଣା । ୩ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ବାସୁଦେବପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି।
ସୂଚନା ଅନୁସାରେ ଏହି ବିଦ୍ୟାଳୟଟି ଦୀର୍ଘ ଦିନ ହେବ ଭଙ୍ଗା ଅବସ୍ଥାରେ ଥିବା ବେଳେ 23/24 ମସିହାରେ ରିପ୍ୟାରିଙ୍ଗ ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା । ହେଲେ ଠିକ ଭାବେ କାର୍ଯ୍ୟ ନକରି ଥିବାରୁ ଘରର ଛାତ ଫାଟି ଆଁ କରିଛି । ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ସମୁଦାୟ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଆଜି ଥିଲା ଗୁରୁଦିବସ । ପିଲାମାନେ ଖୁସିରେ ଶିକ୍ଷକଙ୍କୁ ପୂଜା କରୁଥିବା ବେଳେ ହଠାତ ପ୍ଲାଷ୍ଟର ଖସିଥିଲା । ଏହା ଫଳରେ ୩ ଜଣ ଛାତ୍ରୀ ନାମକ ଛାତ୍ରୀଙ୍କ ଉପରେ ପ୍ଲାଷ୍ଟର ପଡି ତାଙ୍କର ମୁଣ୍ଡ ଫାଟିବା ସହିତ ଦେହ ହାତ ଖଣ୍ଡିଆ ଖାବରା ହୋଇଛି । ଖବର ପାଇଁ ଅଭିଭାବକ ପହଞ୍ଚି ହୋହାଲ୍ଲା କରିବା ସହିତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।