
ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଧମକ ଘଟଣା । ଗଣେଶ ଚତୁର୍ଥୀରେ ମୁମ୍ବାଇରେ ବୋମା ବିସ୍ଫୋରଣ ଧମକ ଦେଇଥିବା ଅଭିଯୁକ୍ତକୁ ନୋଏଡା ପୋଲିସ ଗିରଫ କରିଛି । ଅଭିଯୁକ୍ତ ହେଉଛି ୫୧ ବର୍ଷୀୟ ଅଶ୍ୱିନୀ କୁମାର । ସେ ବିହାର ପାଟଳିପୁତ୍ରର ବାସିନ୍ଦା । ଗତ ପାଞ୍ଚ ବର୍ଷ ଧରି ନୋଏଡାରେ ରହୁଥିଲା । ସେ ଜଣେ ଜ୍ୟୋତିଷ ଭାବେ କାର୍ଯ୍ୟ କରୁଥିବାର ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ଅଶ୍ବିନୀର ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ ଜବତ କରିଛି । ଗିରଫ ପରେ ତାକୁ ମୁମ୍ବାଇକୁ ଅଣାଯାଉଛି ।
ଅଶ୍ୱିନୀ ମୁମ୍ବାଇ ଟ୍ରାଫିକ୍ ପୋଲିସର ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ବରକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲା । ସହରରେ ୩୪ଟି ଗାଡ଼ିରେ “ହ୍ୟୁମାନ୍ ବୋମା” ରଖାଯାଇଛି ଏବଂ ୪୦୦ କିଲୋଗ୍ରାମ ଆରଡିଏକ୍ସ ବିସ୍ଫୋରଣ ପାଇଁ ବ୍ୟବହାର କରାଯିବ । ଯାହା ସାରା ମୁମ୍ବାଇକୁ ଦୋହଲାଇ ଦେବ ବୋଲି ଅଶ୍ୱିନୀ କୁମାର ଧମକ ବାର୍ତ୍ତା ଦେଇଥିଲା । ସେ ନିଜକୁ ‘ଲସ୍କର-ଏ-ଜିହାଦୀ’ ସଂଗଠନର ସଦସ୍ୟ ବୋଲି ଦାବି କରିଥିଲା । ଏଥିସହ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା କହିଥିଲା ।
ଏହି ଧମକ ଗଣେଶ ବିସର୍ଜନ ଉତ୍ସବ ପୂର୍ବରୁ ଆସିଥିଲା । ଯାହା ମୁମ୍ବାଇରେ ଅନନ୍ତ ଚତୁର୍ଦଶୀ ସମୟରେ ପାଳନ କରାଯାଉଛି । ଅଶ୍ୱିନୀ ଏହି ବାର୍ତ୍ତା ତାଙ୍କ ବନ୍ଧୁ ଫିରୋଜଙ୍କୁ “ଫସାଇବା” ପାଇଁ ପଠାଇଥିବା ଜଣାପଡ଼ିଛି । ଯିଏ ୨୦୨୩ରେ ପାଟନାର ଫୁଲଓ୍ୱାରୀ ସରିଫରେ ଏକ ମାମଲା ଦାୟର କରି ଅଶ୍ୱିନୀଙ୍କୁ ତିନି ମାସ ଜେଲରେ ରଖିଥିଲେ । ପ୍ରତିଶୋଧ ନେବା ପାଇଁ ଅଶ୍ୱିନୀ ଫିରୋଜଙ୍କ ନାମରେ ଏହି ଧମକ ପଠାଇଥିଲା ବୋଲି ଜଣାପଡ଼ିଛି ।