
ମହାରାଷ୍ଟ୍ର : ମୁମ୍ବାଇର ନାୟର ହସପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯିବା ପରେ ଯାଞ୍ଚ କରୁଛି ।
ସୂଚନା ମୁତାବକ, ଧମକଭରା ଇମେଲ ନାୟର ହସପିଟାଲର ଡିନଙ୍କ ଇମେଲକୁ ଆସିଛି । ଧମକ ମିଳିବା ପରେ ହସପିଟାଲ ପକ୍ଷରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଏହାପରେ ହସପିଟାଲ ପରିସରରେ ଯାଞ୍ଚ ଚାଲିଛି । ହସପିଟାଲରେ ଥିବା ସମସ୍ତ ରୋଗୀ ଏବଂ ପରିଜନ ଭୟଭୀତ ହୋଇଯାଇଛନ୍ତି ।
ଗତ ଦୁଇଦିନ ତଳେ ମୁମ୍ବାଇରେ ଗଣେଶ ବିର୍ସଜନ ବେଳେ ବିସ୍ଫୋରଣ ହେବ ବୋଲି ଜଣେ ବ୍ୟକ୍ତି ଧମକ ଦେଇଥିଲେ । ୩୪ଟି ଗାଡିରେ ୪୦୦ କେଜି ଆରଡିଏକ୍ସ ରହିଛି । ଯାହା ପୁରା ସହରକୁ ଦୋହଲାଇ ଦେବ ବୋଲି ସୂଚନା ମିଳିଥିଲା । ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଖୋଳତାଡ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ତେବେ ଗତ କିଛିଦିନ ପୂର୍ବରୁ ମୁମ୍ବାଇର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଏହାପରେ ଏୟାରପୋର୍ଟ ସୁରକ୍ଷାକର୍ମୀ ସତର୍କତାର ସହିତ ସଂପୂର୍ଣ୍ଣ ବିମାନବନ୍ଦରରେ ସନ୍ଧାନ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ଘଟଣା ସ୍ଥଳରେ ଆତଙ୍କ ଖେଳିଯାଇଥିଲା । ପୋଲିସ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କିଛି ବି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।