ପିତୃପୁରୁଷଙ୍କୁ ପିଣ୍ଡଦେବାକୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଭିଡ

youtube

ଭୁବନେଶ୍ବର: ଆଜି ହେଉଛି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜି ଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ । ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

ପିତୃପକ୍ଷ ଅବସରରେ ଆଜି ପୁରୀର ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନକରି ତିଳତର୍ପଣ କରିବାକୁ ଲୋକଙ୍କ ବହୁ ଭିଡ ଦେଖିବାକୁ ମିଳିଛି । ତେଣୁ ଶ୍ରଦ୍ଧାର ସହ ଶ୍ରାଦ୍ଧ ଏହି ସମୟରେ ରୀତିନୀତି ଅନୁସାରେ କରାଯାଇଥାଏ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।

ସେହିପରି, ଏକାମ୍ର କ୍ଷେତ୍ରର ବିନ୍ଦୁସାଗର କୂଳକୁ ଲୋକମାନେ ସକାଳୁ ସକାଳୁ ଆସିଛନ୍ତି । ବ୍ରାହ୍ମଣଙ୍କ ମନ୍ତ୍ରପାଠ ସମେତ ଚାଲିଛି ତିଳ ତର୍ପଣ । ତିଳ ତର୍ପଣ କରି ପିତୃପୁରୁଷଙ୍କୁ ଶ୍ରଦ୍ଧା ସ୍ୱରୂପ ପିଣ୍ଡ ଦେଉଛନ୍ତି ।

କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ କରାଯାଛି । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି । ସେହିପରି ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବା କୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

Leave A Reply

Your email address will not be published.