
ଫୁଲବାଣୀ: ଲଗାଣ ବର୍ଷାରେ ପୁଣି ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗୁମାଡ଼ି ପୋଲ ଡାଇଭର୍ଷନ ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପୁଣି ଡାଇଭର୍ଷନ ରାସ୍ତା ଧୋଇଯିବାରୁ ପଞ୍ଚାୟତବାସୀ ହନ୍ତସନ୍ତ ହେଉଥିବା ବେଳେ ଉକ୍ତ ରାସ୍ତା ଯାତାୟାତ କରୁଥିବା ଗାଡି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା ଫଳରେ ଗତ ଜୁଲାଇ ମାସରେ ଉକ୍ତ ରାସ୍ତା ଉପରେ ୪ରୁ ୫ଫୁଟ ପାଣି ଯାଉଥିବା ବେଳେ ସମ୍ପୂର୍ଣ ରାସ୍ତା ଧୋଇ ଯାଇଥିଲା । ଏହି ରାସ୍ତା ୫ଟି ପଞ୍ଚାୟତକୁ ସଂଯୋଗ କରୁଛି । ୨ମାସ ତଳେ
ଏହି ଭଳି ସମାନ ଘଟଣା ଘଟିଥିବା ବେଳେ ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ପୁନର୍ବାର ଗୁମାଡ଼ି ପୋଲର ଡାଇଭର୍ଷନ ରୋଡ ଧୋଇଯାଇଛି । ନିମ୍ନ କାମର କାର୍ୟ୍ୟ ଯୋଗୁଁ ଏଭଳି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।