
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡାର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଜୋରରେ ଗୁଳି ବିନିମୟ ହୋଇଥିଲା । ତେବେ ଅଞ୍ଚଳରେ ୩ ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି, ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସର୍ଚ୍ଚ ଅପରେସନ ବେଳେ ଆତଙ୍କୀ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାବଳ ଏନକାଉଣ୍ଟର କରିଥିଲେ । ବର୍ତ୍ତମାନ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଅପରେସନ୍ ଜାରି ରହିଛି । ଘଟଣାରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆହତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି ।
ଖବର ଅନୁଯାୟୀ, ଗୁଡ୍ଡାର ଅଞ୍ଚଳରେ ଘେରି ରହିଥିବା ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ସଂଗଠନର ବୋଲି ଅନୁମାନ କରାଯାଉଛି । ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଚାଲିଥିବା ବେଳେ ଜମ୍ମୁର ଆରଏସ ପୂରା ସେକ୍ଟରରେ ବିଏସଏଫ ଯବାନ ଅନ୍ତର୍ଜାତୀୟ ସୀମା ନିକଟରୁ ଜଣେ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖିଛନ୍ତି ।
ସୂଚନା ଅନୁସାରେ, ବିଏସଏଫ ଯବାନମାନେ ଗତକାଲି ସନ୍ଧ୍ୟାରେ ସୀମା ନିକଟରେ ସନ୍ଦେହଜନକ ଗତିବିଧି ଦେଖି ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲେ । ଏହି ସମୟରେ ଜଣେ ପାକିସ୍ତାନୀ ନାଗରିକଙ୍କୁ କାବୁ କରିଥିଲେ ଯବାନ । ବିଏସଏଫ ପାକିସ୍ତାନୀ ନାଗରିକଙ୍କୁ ଅନ୍ତର୍ଜାତୀୟ ସୀମାରୁ ଅଟକ ରଖିଛି । ସୁରକ୍ଷା ବାହିନୀ ତାଙ୍କୁ ଘଟଣାସ୍ଥଳରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛନ୍ତି । ବର୍ତ୍ତମାନ ତାଙ୍କର ପରିଚୟ ଏବଂ ସୀମା ପାର ହେବାର କାରଣ ଖୋଜା ଚାଲିଛି । ସୀମାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ପାଟ୍ରୋଲିଂ ଏବଂ ସର୍ଚ୍ଚିଂକୁ ଆହୁରି ଜୋରଦାର କରାଯାଇଛି ।