ପ୍ରଥମ ମହଲାରେ ଫାଟିଲା ଏସି, ଦ୍ୱିତୀୟ ମହଲାରେ ଥିବା ପରିବାରର ୩ ମୃତ, ଶିଶୁ ଗୁରୁତର

youtube

ଫରିଦାବାଦ : ହରିୟାଣାର ଫରିଦାବାଦର ଗ୍ରୀନ୍ ଫିଲ୍ଡ କଲୋନୀରେ ଦୁଃଖଦ ଘଟଣା ଘଟିଛି । ଏକ ଘରେ ଏସି ବିସ୍ଫୋରଣ ହେବାରୁ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପରିବାରର ଗୋଟିଏ ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି ।

ଖବର ମୁତାବକ, ସୋମବାର ଭୋର ୩ଟାରେ ଏହି ଘଟଣା ଘଟିଥିଲା । ପରିବାରର ସମସ୍ତ ସଦସ୍ୟ ନିଜ ନିଜ ରୁମରେ ଶୋଇଥିଲେ । ପ୍ରଥମ ମହଲାରେ ଲାଗିଥିବା ନିଆଁରୁ ବାହାରୁଥିବା ଧୂଆଁ ସିଧାସଳଖ ଦ୍ୱିତୀୟ ମହଲାକୁ ପହଞ୍ଚିଥିଲା । ଧୂଆଁ ଯୋଗୁଁ ରୁମ ଭିତରେ ନିଶ୍ୱାସ ନେବା କଷ୍ଟ ଅନୁଭୂତ ହେବା ପରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କ ଝିଅ ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଗ୍ରୀନ୍ ଫିଲ୍ଡ କଲୋନୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସିଭିଲ୍ ହସପିଟାଲକୁ ପଠାଯାଇଛି । ଅଗ୍ନିଶମ ବିଭାଗ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ।

ପଡୋଶୀଙ୍କ କହବିନୁଯାୟୀ, ଏସି ବିସ୍ଫୋରଣ ଯୋଗୁଁ ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା । ଯେଉଁ ଫ୍ଲାଟରେ ନିଆଁ ଲାଗିଥିଲା, ସେହି ଫ୍ଲାଟର ଲୋକମାନେ ସୁରକ୍ଷିତ ଭାବରେ ବାହାରକୁ ଆସିଯାଇଥିଲେ । କିନ୍ତୁ ପ୍ରଥମ ମହଲାର ଧୂଆଁ ଦ୍ୱିତୀୟ ମହଲାକୁ ପହଞ୍ଚିଥିଲା । ସେଠାରେ ଶୋଇଥିବା ଲୋକମାନେ ଏହାର କୌଣସି ସୂଚନା ମଧ୍ୟ ପାଇ ନଥିଲେ । ହେଲେ ଦ୍ବିତୀୟ ମହଲା ରୁମର କବାଟ ଭିତରୁ ବନ୍ଦ ହୋଇଯାଇଥିଲା, ଯାହା ଫଳରେ ଶ୍ୱାସରୁଦ୍ଧ ହୋଇ ସ୍ୱାମୀ, ସ୍ତ୍ରୀ ଏବଂ ଝିଅଙ୍କ ମୃତ୍ୟୁ ହୋଇଥିଲା ।

ଏହି ପରିବାରଟି ଦୀର୍ଘ ଦିନ ଧରି ଗ୍ରୀନ୍ ଫିଲ୍ଡ କଲୋନୀରେ ରହୁଥିଲା । ପରିବାରର ପୁଅ ଗୁରୁତର ଆହତ ହୋଇଛି ଏବଂ ତାକୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଅନୁସାରେ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାରର ଅକାଳ ମୃତ୍ୟୁ ଯୋଗୁଁ ଲୋକମାନେ ଦୁଃଖିତ ରହିଛନ୍ତି । ପୋଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.