
କାଠମାଣ୍ଡୁ : ନେପାଳ ସରକାର ବିରୋଧରେ ଜେନ୍-ଜି ବିକ୍ଷୋଭ ପରେ ନେପାଳର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ରାଗ ଥମିନାହିଁ ଏବଂ ପ୍ରଦର୍ଶନକାରୀମାନେ ସେମାନଙ୍କର ଦାବି ଉପରେ ଅଟଳ ଅଛନ୍ତି ।
ପ୍ରଦର୍ଶନକାରୀ ଜେଲରେ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ଏହି ହିଂସାରେ ୧୮ ଜିଲ୍ଲାର ଜେଲରୁ ପ୍ରାୟ ୬ ହଜାର କଏଦୀ ଫେରାର ହୋଇଯାଇଛନ୍ତି । ଏଥିରେ କେବଳ କାସ୍କିରୁ ୭୭୩ କଏଦୀ ପଳାୟନ କରିଛନ୍ତି । ନବଲପରାସୀ ଜେଲରୁ ୫୦୦ କଏଦୀ ପଳାୟନ କରିଛନ୍ତି। ଚିତୱାନରୁ ୭୦୦ କଏଦୀ, କୈଲାଲିରୁ ୬୧୨ କଏଦୀ, ଜଳେଶ୍ୱରରୁ ୫୭୬ କଏଦୀ ପଳାଇଛନ୍ତି । ଅନ୍ୟ ଜିଲ୍ଲାରୁ ଅନେକ କଏଦୀ ରହିଛନ୍ତି । ନେପାଳର ଜେଲରୁ ଖସି ପଳାଇଥିବା ୫ ଜଣ କଏଦୀ ଭାରତ-ନେପାଳ ସୀମା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏହି ଅନୁପ୍ରବେଶକାରୀମାନେ ସେମାନଙ୍କ ଯୋଜନାରେ ସଫଳ ହୋଇପାରି ନଥିଲେ ଏବଂ ସେମାନଙ୍କୁ ଗିରଫ କରାଯାଇଛି ।
ନେପାଳର ଅନେକ ସ୍ଥାନରେ ନିଆଁ ଜଳୁଛି । ସୁପ୍ରିମକୋର୍ଟ, ବିମାନବନ୍ଦର, ସହ ବଡ଼ କୋଠାରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ପ୍ରଦର୍ଶନକାରୀମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସେଥିରେ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନଷ୍ଟ କରିଦେଇଛନ୍ତି ।
ଏପରି ପରିସ୍ଥିତିରେ ଏବେ ନେପାଳର ସେନା ନିଜ ହାତରେ କମାଣ୍ଡ ନେଇ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛି । ପିଏମ ଓଲିଙ୍କ ଇସ୍ତଫା ପରେ ସେନା ନିୟନ୍ତ୍ରଣରେ ରହିଛି କାଠମାଣ୍ଡୁ, ପୋଖରା, ଓ ଲଳିତପୁର । ପିଏମ ଓଲିଙ୍କ ଇସ୍ତଫା ପରେ ସେନା ନିୟନ୍ତ୍ରଣରେ ରହିଛି କାଠମାଣ୍ଡୁ, ପୋଖରା, ଓ ଲଳିତପୁର ।
ସୂଚନାଯୋଗ୍ୟ, ନେପାଳରେ ସରକାର ସୋସିଆଲ ମିଡିଆ ଆପ୍ ବ୍ୟାନ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଲକ୍ଷାଧିକ ଜେନ-ଜି ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ସବୁକିଛି ନଷ୍ଟ କରିଦେଇଛନ୍ତି । ସଂସଦ ଭବନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଫିସରେ ନିଆଁ ଲଗାଇଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ସବୁକିଛି ଛାରଖାର ହୋଇଯାଇଛି ।