
କାଠମାଣ୍ଡୁ: ନେପାଳରେ ଉତ୍ତେଜନା ଯୋଗୁଁ ସମଗ୍ର ଦେଶ ଛାରଖାର ହୋଇଯାଇଛି । ଏନେଇ ବନ୍ଦ ପଡିଥିବା କାଠମାଣ୍ଡୁ ବିମାନବନ୍ଦର ପୁଣିଥରେ ଖୋଲିଛି । କାଠମାଣ୍ଡୁ ବିମାନବନ୍ଦର ପୁନର୍ବାର ଖୋଲିଛି ବୋଲି ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ହିଂସା ରୋକିବା ପାଇଁ ନେପାଳ ସେନା ଦେଶବ୍ୟାପୀ କଟକଣା ଲାଗୁ କରିବା ପରେ ଆଜି କର୍ତ୍ତୃପକ୍ଷ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ବିମାନବନ୍ଦରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଯାତ୍ରୀମାନଙ୍କୁ ଉଡ଼ାଣ ସୂଚନା ପାଇଁ ସେମାନଙ୍କ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହାସହିତ ଯାତ୍ରା କରିବା ସମୟରେ ବିମାନ ଟିକେଟ୍ ଏବଂ ପରିଚୟ ପତ୍ର ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି।
ନେପାଳ ହିଂସା ହେତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି କାଠମାଣ୍ଠୁ ବିମାନ ବନ୍ଦରକୁ ପୂରାପୂରି ବନ୍ଦ କରି ଦିଆଯାଇଥିଲା । ଏୟାର ଇଣ୍ଡିଆ ତାର ସମସ୍ତ ବିମାନ ନେପାଳକୁ ଉଡାଣ ବାତିଲ କରିଥିଲା । ନେପାଳରେ ହିଂସା ଏବଂ ଆନ୍ଦୋଳନ ଭୟଙ୍କର ରୂପ ନେଉଥିବାରୁ ଦିଲ୍ଲୀ-କାଠମାଣ୍ଡୁ ବିମାନ ଉଡାଣକୁ ବାତିଲ କରିଥିଲା ଏୟାର ଇଣ୍ଡିଆ । ଇଣ୍ଡିଗୋ ମଧ୍ଯ ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିବା ସମସ୍ତ ବିମାନକୁ କାଲି ଗୋଟାଏ ଦିନ ପାଇଁ ବନ୍ଦ କରିଥିଲା ।